ବିଧାନ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ତ୍ର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ ଏବଂ ସବକା ପ୍ରୟାସ’ କୁ ଆଧାର କରି ଆମେ ଏହି ବଜେଟ ପ୍ରସ୍ତୁତ କରି ଅଛୁ । ସମାଜର ଚାରିଟି ପ୍ରମୁଖ ଶ୍ରେଣୀ ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ ‘ ଏବଂ ‘ଅନ୍ନଦାତା’ ଙ୍କ ସର୍ବାଙ୍ଗିନ ବିକାଶ ପାଇଁ ଏବଂ ଏକ ‘ବିକଶିତ ଓଡ଼ିଶା’ ର ପରିକଳ୍ପନାର ସଫଳ ରୂପାଯନ ପାଇଁ ଏହି ବଜେଟ ଆମର ଏକ ଚେଷ୍ଟା । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୧୫ ପ୍ରତିଶତ ଅଧିକ ଅଟେ । ଏହି ବଜେଟ୍ ଅଟକଳ ମଧ୍ଯରୁ ୧ ଲକ୍ଷ ୫୫ ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଅଟକଳର ୫୮ ପ୍ରତିଶତ । ଏହା ୨୦୨୪-୨୫ ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟଅଟକଳଠାରୁ ୨୪ ପ୍ରତିଶତ ଅଧିକ ।
୨– ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ସଂସ୍କୃତିର ପ୍ରାଣ କେନ୍ଦ୍ର ତଥା “ଓଡ଼ିଆ ଅସ୍ମିତା”ର ପରିଚୟ । ଏଥିପାଇଁ ଆମେ ଆମର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପାଇଁ ୫ ଶହ କୋଟି ଟଙ୍କା କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପଭି ନେଇଥିଲୁ । ଆମର ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଏହି ବଜେଟରେ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଏହା ଛଡା ଘଟଗାଁ ସ୍ଥିତ ମା ତାରିଣୀ ପୀଠରେ ପାରିପାର୍ଶ୍ବକ ଉନ୍ନୟନ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖୁଛୁ । ଓଡ଼ିଆ ଅସ୍ମିତା ପାଇଁ ୨ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସମୃଦ୍ଧ କୃଷକ ଯୋଜନା ଓ ଶ୍ରୀ ଅନ୍ନ ଅଭିଯାନ
୩- “ବିକଶିତ ଓଡ଼ିଶା”ର ପରିକଳ୍ପନାକୁ ସାକାର କରିବାକୁ “ସମୃଦ୍ଧ କୃଷକ ଯୋଜନା” କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ହେଇଛି । ଏହି ଯୋଜନାରେ କୃଷକମାନଙ୍କଠାରୁ ଦ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ ଧାନ କିଣାଯିବ । ଏଥିପାଇଁ ଆମେ 5 ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛୁ । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏହି ବଜେଟରେ ୬ ଶହ ୪୯ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି । କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା, କମ ସୁଧରେ ଋଣ ଓ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ର ଗୁଡିକୁ ପ୍ରୋତ୍ସାହନ ଦେଇ କୃଷକର ଆୟବୃଦ୍ଧି କରାଯିବା ପାଇଁ ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ କରାଯାଇଛି ।
ସୁଭଦ୍ରା ଯୋଜନା
୪– ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ “ସୁଭଦ୍ରା ଯୋଜନା” ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉଦ୍ୟୋଗୀ, ସଶକ୍ତ ଓ ଆର୍ଥିକ ଦୃଷ୍ଟିକୋଣରୁ ସ୍ବାଧୀନ କରିବା ପାଇଁ ବଜେଟ୍ ରେ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।
ମଧୁବାବୁ ପେନ୍ସନ ଯୋଜନା
୫- ଆମ ପ୍ରତିଶ୍ରୁତି ମୁତାବକ, ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ନାଗରିକ ଓ ୮୦ ପ୍ରତିଶତ ଏବଂ ତଦୁଦ୍ଧ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନ୍ସନ ଯୋଜନା (MBPY) ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ମାସିକ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ।
ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା
୬– ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାରେ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ସ୍କୁଲ ଡ୍ରପ-ଆଉଟ ହାରକୁ ରୋକିବା ପାଇଁ ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ “ମାଧୋ ସିଂହ ହାତ ଖର୍ଚ୍ଚ’” ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବୁ । ଏହା ଦ୍ବାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ତେଣୁ ବଜେଟ୍ ଆକଳନ ୨୦୨୪-୨୫ ରେ ଏହି ଯୋଜନା ଅଧୀନରେ ୧ ଶହ ୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।
ପିଏମ ଆୱାସ ଯୋଜନା
୭- ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ପିଏମ ଆୱାସ ଯୋଜନାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ୬ ହଜାର ୭ ଶହ ୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୫ ସୁଦ୍ଧା ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ PVTG ମାନଙ୍କ ପାଇଁ ସୁରକ୍ଷିତ ଆବାସ ଯୋଗାଇଦେବା ପାଇଁ PM-JANMAN ଅଧୀନରେ ୬ ଶହ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଏହାଦ୍ବାରା ଗରିବ ଲୋକମାନଙ୍କର ପକ୍କାଘରର ଆବଶ୍ୟକତା ପୂରଣ କରାଯାଇପାରିବ ।
ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
୮- ଏହି ବଜେଟରେ ଆମେ ଅନେକ କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନ ଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠି ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନିମନ୍ତେ ଉପଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛୁ ।ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ କ୍ୟାସ୍-ଲେସ୍ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହାଛଡା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକ ପାଇଁ ୨ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି ।
ପିଏମ୍ ଶ୍ରୀ ଯୋଜନା
୯- ଉତ୍ତମ ଶିକ୍ଷା ବ୍ୟବସ୍ଥା ନିମନ୍ତେ ୨୦୩୪-୨୫ ଆର୍ଥିକ ବର୍ଷରୁ PM- SHRI ଯୋଜନାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ । ଓଡ଼ିଶାରେ “ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା” (PM-USHA) ପ୍ରଚଳନ ହେବ, ଯେଉଁଥିରେ ଉଚ୍ଚଶିକ୍ଷାରେ ସମାନତା (Equity), ଉପଲବ୍ଧତା (Access) ଏବଂ ଅନ୍ତର୍ଭୁକ୍ତିକରଣ (Inclusion) ଉପରେ ଗୁରୁତ୍ବ ଦିଆଯିବ ।
୧୦– ଲୋକମାନକ ଘରେ ଏବଂ ସରକାରୀ ପ୍ରତିଷ୍ଠାନରେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’” କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । “ପି.ଏମ୍- ଅଜୟ” ଅଧୁନରେ ୮୦୯ ଟି ଗ୍ରାମକୁ ଆଦର୍ଶ ଗ୍ରାମରୂପେ ଘୋଷଣା କରାଯାଇଛି । ଏହି ଯୋଜନାପାଇଁ ୩ ଶହ ୧୬ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।
୧୧– ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ବଜେଟ୍ ଆକଳନ ୮ ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ଯୋଜନାରେ ସମ୍ବଲପୁର ଓ କଟକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗୁଜୁରାଟର ସାବରମତୀ ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।
୧୨– ଉତ୍ତମ ଆର୍ଥିକ ପରିଚାଳନା ଦ୍ବାରା ହ ଏକ ଉନ୍ନତ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର । ଏହାକୁ ଦୃଷ୍ଟିରେ ରଖ୍, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧୁନିୟମ, ୨୦୦୫ ରେ ଧାର୍ଯ୍ୟ ସମସ୍ତ ବିତ୍ତୀୟ ସୁଚକାଙ୍କ ସୀମା ମଧ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି ।ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ ମାଧ୍ଯମରେ ଏକ ଖସଡା ପ୍ରସ୍ତୁତ କରିଛନ୍ତି । ମୋର ଦୃଢ ବିଶ୍ବାସ ଯେ, ଆମ ସରକାର ଓଡ଼ିଶାବାସୀଙ୍କର ସହଯୋଗରେ ବଜେଟ୍ରେ ପ୍ରଦତ୍ତ ସମ୍ୱଳର ସୁବିନିଯୋଗ କରି ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାରେ ସମର୍ଥ ହେବେ । ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର, ଏଣୁ ଏହି ବଜେଟ ହେଉଛି ଲୋକଙ୍କ ବଜେଟ ।


