ଭୁବନେଶ୍ୱର(ଓଡ଼ିଶା ୱେୟାର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ରାଜ୍ୟର ୮୯୪୭ଟି ଗାଁର ଲୋକଙ୍କୁ ଏବେବି ମୋବାଇଲ ଫୋନ୍ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି । ଇଣ୍ଟରନେଟ ଓ ଫାଇଭ-ଜି ଯୁଗରେ ଏଭଳି କଥା ବିଶ୍ୱାସ ହେଉନଥିଲେ ବି ସତ ।
ରାଜ୍ୟସଭାରେ ଆଜି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଜନସଂଖ୍ୟା ୯୫% ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ୱେୟାରଲେସ୍ ଥ୍ରୀ-ଜି ଓ ଫୋର-ଜି ସେବା ଉପଲବ୍ଧ ହେଉଛି । ତା’ଛଡ଼ା ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ପଂଚାୟତକୁ ସ୍ପିଡ୍ ଇଣ୍ଟରନେଟ୍ ସହଯୋଗ କାର୍ଯ୍ୟ କରୁଛନ୍ତି । ଓଡ଼ିଶାରେ ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ମିଶାଇ ମୋଟ ୭୦୭୦ଟି ପଂଚାୟତ ଥିବାବେଳେ ଏବେ ୫୩୯୬ଟି ପଂଚାୟତରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ଅବା ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହୋଇପାରିଛି ।
ସେହିପରି ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ୪୭୬୭୭ଟି ଜନବସତି ଗାଁ(୨୦୧୧ ଜନଗଣନା ଅନୁସାରେ) ଥିବାବେଳେ ସେଥିରୁ ୩୮,୭୩୦ଟି ଗାଁରେ ଏବେ ଉଭୟ ଥ୍ରୀ-ଜି ଅବା ଫୋର-ଜି ନେଟୱାର୍କ ସୁବିଧା ଉପଲବ୍ଧ ଅଛି । ବାକି ୮୯୪୭ଟି ଗାଁରେ ଏହି ମୋବାଇଲ ନେଟୱାର୍କ ସୁବିଧା ନାହିଁ ।
କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ରାଜ୍ୟର ପ୍ରାୟ ୯ହଜାର ଗାଁ ଲୋକେ ନେଟୱାର୍କ ଅଭାବରୁ ମୋବାଇଲ୍ ଫୋନ୍ ଉପଯୋଗ ସୁବିଧାରୁ ବଂଚିତ ହେଉଥିବା ଜଣାପଡ଼ିଛି ।


