ଭୁବନେଶ୍ୱର (ଓଡ଼ିଶା ୱେୟାର):ରାଜ୍ୟରେ କୋଭିଡ୍ ଟିକାକରଣ ନିମନ୍ତେ ନୀତି ଆୟୋଗ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି । ରାଜ୍ୟରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କଣ୍ଟ୍ରୋଲରୁମ୍ ସ୍ଥାପନ କରାଯିବା ସହ କୋଭିଡ୍ ଟିକାକରଣକୁ ଏକ ଜନଅଭିଯାନର ରୂପ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।
କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୋଉବାଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣ ବ୍ୟବସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଥିଲେ ଯେ ଟିକାକରଣ ପାଇଁ ଓଡ଼ିଶା ପୂର୍ଣ୍ଣ ପ୍ରସ୍ତୁତ ଅଛି । ନେତୃସ୍ଥାନୀୟ ବ୍ୟକ୍ତି, ପଂଚାୟତିରାଜ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମି କରି କୋଭିଡ୍ ଟିକାକରଣ କରାଯିବ ।
ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ, ଟିକାକରଣ ନିମନ୍ତେ ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରରେ ଟାସ୍କଫୋର୍ସ କମିଟି ଗଠନ ହୋଇଛି । ୮୩୦୦ ଟିକା ପ୍ରଦାନକାରୀ ଓ ୩୦ହଜାର ଟିକା ବିତରଣ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି । ଟିକାକରଣ ପରେ ସମ୍ଭାବ୍ୟ ସାଇଡଇଫେକ୍ଟ ଉପଯୁକ୍ତ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି ।
ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ,ଟିକାକରଣ ନିମନ୍ତେ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ପ୍ରସ୍ତୁତି ହୋଇଛି । ସେଠାରେ ଟେଲିଫୋନ, ଇଣ୍ଟରନେଟ ସହ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଏନସିସି ୟୁନିଟଗୁଡ଼ିକ ସହ ଯୋଗାଯୋଗ କରାଯାଇଛି ।
ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥବଲେ ଯେ, ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟ ଅଗ୍ରାଧିକାର ଗ୍ରୁପର ତାଲିକା ପ୍ରସ୍ତୁତ କରାଯାଇ ଭାରତ ସରକାରଙ୍କ ୱେବସାଇଟରେ ଅପଲୋଡ଼ କରାଯାଇଛି । ଏଥିରେ ପ୍ରାୟ ୩.୨ଲକ୍ଷ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନର କର୍ମୀ ସମେତ ଅଙ୍ଗନୱାଡ଼ି କର୍ମୀମାନେ ସାମିଲ ଅଛନ୍ତି ।
ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


