ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିଛି । ପଥର ଖୋଳୁ ଖୋଳୁ ମାଟି ଅତଡ଼ା ଧସିପଡ଼ିବାରୁ ଚାପିହୋଇ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳୁନଥିବା ସୂଚନା । ତେଣୁ ସେମାନେ ବି ପଥର ତଳେ ଫସି ଆଖି ବୁଜିଥିବା ଆଶଙ୍କା କରାଯାଇଛି। ଏହି ବେଆଇନ କଳା ପଥର ଖାଦାନରେ ବିଳମ୍ବିତ ରାତିରେ ଡ୍ରିଲ ହେଉଥିବା ବେଳେ ମାଟି ଅତଡ଼ା ଧସି ତା ତଳେ ୩ଜଣ ଆନ୍ଧ୍ରପ୍ରଦେଶର ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।
ମାଫିଆଙ୍କ ଭୟରେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସିପାରୁନାହାନ୍ତି । ଜେନାପୁର ପୋଲିସର ନିଷ୍କ୍ରିିୟତା ଯୋଗୁଁ ମାଫିଆମାନେ ମୃତ ଦେହ ଉଠାଇ ନେବାକୁ ଉଦ୍ୟମ କରୁଥିବା ବେଳେ କ୍ୟାମେରାରେ ଧରାପଡ଼ିବା ଭୟରେ ଘଟଣାସ୍ଥଳରୁ ଛାଡ଼ି ପଳାଇଥିବା କ୍ୟାମେରାରେ କଏଦ ହୋଇଛି ।
ଘଟଣାସ୍ଥଳରେ ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ପହଞ୍ଚି ଖାଦାନ ଚଳାଉଥିବା ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପଥର ଖଣି ବେଆଇନ ଭାବେ ଚାଲୁଥିଲା। ତେଣୁ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ତାଙ୍କ ଅଭିଯୋଗ ନେଇ ପ୍ରଶାସନ କିମ୍ବା ଖାଦାନ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


