ଭୁବନେଶ୍ୱର(ଓଡ଼ିଶା ୱେୟାର): କୋଭିଡ୍ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ସମ୍ବନ୍ଧୀୟ ସଚେତନତାର ବ୍ୟାପକ ପ୍ରସାର ସହ ଟୀକାକରଣ ପାଇଁ ସମୟୋଚିତ ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ଟୀକାକରଣ ଷ୍ଟିୟରିଂ କମିଟି ବୈଠକରେ ଜିଲ୍ଲାପାଳମାନଙ୍କୁ ଟୀକାକରଣ କାର୍ଯ୍ୟ ନିମନ୍ତେ ଜିଲ୍ଲା ଓ ବ୍ଲକସ୍ତରରେ ବ୍ୟାପକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ଟୀକାକରଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଠିକ୍ ଭାବେ ତାଲିମ ଦେବା ଓ ଆବଶ୍ୟକ ପଡ଼ିଲେ ବିଭିନ୍ନ ବ୍ଲକଗୁଡ଼ିକୁ ଯାଇ ସମୟୋଚିତ ପଦକ୍ଷେପର ପ୍ରସ୍ତୁତିକୁ ଅନୁଧ୍ୟାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କୋଭିଡ୍ ଟୀକାକଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେବା ସହ ଯେକୌଣସି ପାଶ୍ୱର୍ପ୍ରତିକ୍ରିୟାକୁ ଦକ୍ଷତାର ସହ କିଭଳି ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ, ସମସ୍ତ ନିର୍ଦ୍ଦେଶକ, ସବୁ ଜିଲ୍ଲାର ଜିଲ୍ଲାପାଳ, ସିଡିଏମଓ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟରେ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଏବଂ ବରିଷ୍ଠ ବ୍ୟକ୍ତିଙ୍କୁ ଟୀକା ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି ।


