ଭୁବନେଶ୍ୱର(ଓଡ଼ିଶା ୱେୟାର): ଜାତିରପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ସରକାରୀସ୍ତରରେ ୨ବର୍ଷ ପାଳନ କାର୍ଯ୍ୟକ୍ରମ ‘ବହୁ ଆଡ଼ମ୍ବରରେ ଲଘୁକ୍ରିୟା’ ବୋଲି ପ୍ରମାଣିତ ହେବାପରେ ପୁଣିଥରେ ଗାନ୍ଧିଜୀଙ୍କ ନାଁ କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ୨୦୨୦ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ୨ବର୍ଷ ଧରି ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀକୁ ସରକାରୀସ୍ତରରେ ପାଳନ ପାଇଁ ଅଧଡଜେନ କମିଟିଠୁ ଆରମ୍ଭ କରି ବହୁ ବଡ଼ ବଡ଼ ଘୋଷଣା କରିଥିବା ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କୁ ଭୁଲି ଯାଇଥିଲେ । ଏବେ ପୁଣିଥରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ନିମନ୍ତେ ସଜବାଜ ହୋଇଛନ୍ତି । ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ଅନୁମୋଦନ ଲାଭ କରିଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ସମାରୋହ ପାଳନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ଏକଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୦୨୧ ମାର୍ଚ୍ଚ ୨୩ରୁ ଏକବର୍ଷ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ମହାତ୍ମା ଗାନ୍ଧିଙ୍କ ନୀତି, ଆଦର୍ଶ ଓ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଓଡ଼ିଶାବାସୀ ଓ ଯୁବପୀଢ଼ୀଙ୍କୁ ମହାତ୍ମା ଗାନ୍ଧିଙ୍କ ମହନୀୟତାରେ ଉଦବୁଦ୍ଧ କରିବାରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ । ୧୯୨୧ ମସିହା ମାର୍ଚ୍ଚ ୨୩ତାରିଖରେ ମହାତ୍ମା ଗାନ୍ଧି ପ୍ରଥମଥର ଓଡ଼ିଶା ଆସି କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ । ଗାନ୍ଧିଜୀ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି ।
ଅନ୍ୟପକ୍ଷରେ ୨୦୧୮ ଅକ୍ଟୋବର ୨ରୁ ୨୦୨୦ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ୨ବର୍ଷ ଧରି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତି କେବଳ ଗଣମାଧ୍ୟମରେ ପ୍ରଚାରସର୍ବସ୍ୱ ହୋଇ ରହିଯାଇଛି । ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିବା ପାଇଁ ୫ଟି ସବକମିଟି ଗଠନଠୁ ଆରମ୍ଭ କରି ୨ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା ହୋଇଥିଲା । ଏହି ଜୟନ୍ତୀ ପାଳନ ନିମନ୍ତେ ବହୁ ପୂର୍ବରୁ ପ୍ରସ୍ତୁତି ସହ ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଥିଲେ । ସେହିପରି ସବକମିଟି ଥରେଦୁଇଥର ବୈଠକ କରି ନିଜର ଦାୟିତ୍ୱ ଶେଷ କରିଥିଲେ ମଧ୍ୟ ସରକାରୀସ୍ତରରେ କିଛି ଆଖିଦୃଶିଆ କାର୍ଯ୍ୟ ହୋଇପାରିନି ।
ଉଦାହରଣସ୍ୱରୂପ, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଯୁକ୍ତ ଦୁଇ ପାଠ୍ୟକ୍ରମରେ ଗାନ୍ଧିଜୀଙ୍କ ଜୀବନୀକୁ ସାମିଲ କରିବା, ସ୍କୁଲ,କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ, ବିଭିନ୍ନ ସଭାସମିତି ଆଦି ପାଇଁ ମଧ୍ୟ ନିଆଯାଇଥିବା ନିଷ୍ପତ୍ତି ଏବେସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି ।
ତେଣୁ ଏବେ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପୂର୍ବଭଳି କେବଳ ପ୍ରଚାରସର୍ବସ୍ୱ ହେଉଛି ନା ବାସ୍ତବରେ ଗାନ୍ଧିଜୀଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବାକୁ ସରକାର ଆନ୍ତରିକତା ସହ ପ୍ରୟାସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।


