ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବଳରେ ଖୋଲା ବଜାରରେ ଚାଷୀ ନିଜ ଉତ୍ପାଦିତ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ ବରଂ ସର୍ବାଧିକ ମୂଲ୍ୟରେ ବିକ୍ରି କରି ଲାଭ ପାଇପାରିବ । ଏହି ଆଇନରେ ମଧ୍ୟସ୍ଥି ବା ଦଲାଲି ଉଚ୍ଛେଦ କରାଯାଇଛି । ତେଣୁ ଏହି ଆନ୍ଦୋଳନ ଦଲାଲମାନଙ୍କ ପ୍ରାୟୋଜିତ ଆନ୍ଦୋଳନ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁମାନେ ସ୍ୱାଧୀନତାର ୭ ଦଶନ୍ଧିରେ ଚାଷୀ ଭାଇମାନଙ୍କ ସ୍ୱାର୍ଥକୁ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି, ସେମାନଙ୍କର କୁମ୍ଭୀର କାନ୍ଦଣାର ମୁଖା ଖୋଲିଯିବା ଓ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସେମାନେ ଭୟଭୀତ ହୋଇ ମୋଦିଙ୍କ କୃଷି ବିଲକୁ ବିରୋଧ କରୁଛନ୍ତି । ନୂଆ କୃଷି ଆଇନ ଦ୍ୱାରା ଦଲାଲମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ କିଛି ରାଜ୍ୟରେ ଦଲାଲଙ୍କ ଦ୍ୱାରା ପ୍ରାୟୋଜିତ ଆନ୍ଦୋଳନ ଚାଲିଛି । ଚାଷୀଙ୍କ ସ୍ୱାର୍ଥକୁ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ମୋଦି ସରକାର ସଂକଳ୍ପବଦ୍ଧ । ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ମଧ୍ୟ ବଦ୍ଧପରିକର । ଯେଉଁମାନେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ କେବଳ ସ୍ଥିତି ବଂଚାଇବାକୁ ରାଜନୀତିକ ସ୍ୱାର୍ଥ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁଛନ୍ତି । ଚାଷୀଙ୍କ ପାଇଁ ଦୀର୍ଘ ଦଶନ୍ଧିରେ କିଛି କରିନଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନେ ଏକାଠି ହୋଇ ମୋଦିଙ୍କ କୃଷି ବିଲ୍ ପ୍ରସଙ୍ଗରେ ମିଥ୍ୟା ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ବିରୋଧୀ ଦଳମାନେ ନୂତନ କୃଷିଆଇନ୍ରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନାହିଁ ବୋଲି କହି ମିଥ୍ୟା ପ୍ରଚାର କରୁଛନ୍ତି । ଏମଏସପିର ମାନେ ‘ଗ୍ୟାରେଂଟେଡ ପ୍ରାଇସ୍ ’ ବୋଲି ଏହି ନୂଆ ଆଇନର ୫ମ ଭାଗରେ ସ୍ପଷ୍ଟ ଉଲ୍ଲେଖ ଅଛି । ସେହିପରି ନୂଆ ଆଇନ ବଳରେ କୃଷକଙ୍କ ଜମି ଉପରେ ଶିଳ୍ପପତିମାନେ କବଜା କରିଦେବେ ବୋଲି ବିରୋଧୀମାନେ ଅପପ୍ରଚାର କରୁଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟା । ବରଂ ଏହି ନୂଆ ଆଇନର ୮ମ ଭାଗରେ ଚାଷୀମାନଙ୍କ ଜମି ବିକ୍ରି, ଲିଜ୍ ବା ବନ୍ଧକ ଉପରେ କଟକଣା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ୭ଦଶନ୍ଧି ଧରି ଯାହା ହୋଇନଥିଲା ତାହା ୬ବର୍ଷରେ ହୋଇଛି । ଓଡ଼ିଶାରେ ୩୫୦୦ ମଣ୍ଡିରେ ଚାଷୀ କିପରି ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପାଇବେ ତାହା ବିଜେପି ଦେଖିବ । ଓଡ଼ିଶାର ପ୍ରତି ମଣ୍ଡିରେ ଚାଷୀଙ୍କୁ ଏମଏସପି ସୁନିଶ୍ଚିତ କରାଇବା ନିମନ୍ତେ ଦଳର କୃଷକ ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଠାକୁର ରଣଜିତ୍ ଦାସ,ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


