ଭୁବନେଶ୍ୱର(ଓଡ଼ିଶା ୱେୟାର):“ଭାରତର ବିବିଧତା ହିଁ ଆମର ସବୁଠୁ ବଡ଼ ଶକ୍ତି । ଆମ ବିବିଧତାର ସୁରକ୍ଷା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ସମସ୍ତେ କାମ କରିବା ଦରକାର । ଏହା ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ ।” ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ହିଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟକୁ ପରୋକ୍ଷରେ ସ୍ପଷ୍ଟ କରାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଚନ୍ତି ଯେ, ଭାରତ ବହୁ ଭାଷା,ଧର୍ମ,ଜାତି,ମତ,ବର୍ଣ୍ଣ ଓ ବିଶ୍ୱାସକୁ ନେଇ ଗଠିତ । ବିଭିନ୍ନ ଅଂଚଳର ଭୂଗୋଳ ମଧ୍ୟ ଭିନ୍ନ ଭିନ୍ନ । ଏହି ବିବିଧତା ହିଁ ସବୁଠୁ ବଡ଼ ଶକ୍ତି । ଏହା ହିଁ ଆମ ସଂସ୍କୃତି ଓ ସମାଜକୁ ସମୃଦ୍ଧ କରିଛି । ସମ୍ବିଧାନରେ ଏହା ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ଓ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି । ଓଡ଼ିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜଭୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତଭୂମି ପରି ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ଆଜି ଦୃଶ୍ୟମାନ ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ଓ କୃଷି ଉତ୍ପାଦନ ବଢ଼ିଛି । ଚାଷୀର ରୋଜଗାର ବଢ଼ିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି । ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ସ୍ଥାନ ସମଗ୍ର ଦେଶରେ ସ୍ୱତନ୍ତ୍ର । ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ଦୃଢ଼ ପ୍ରତିବଦ୍ଧତାର ସହ ଆଗକୁ ବଢ଼ୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଲକ୍ଷ୍ୟସ୍ଥଳରେ ପହଂଚାଇ ପାରିବ । ଏକ ନୂଆ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦ମାସ ହେଲା ସମଗ୍ର ବିଶ୍ୱ କରୋନା ସହ ଲଢ଼ୁଛି । ଓଡ଼ିଶା କରୋନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି । ଟୀକା ଆସିଥିଲେ ମଧ୍ୟ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।


