ଭୁବନେଶ୍ୱର(ଓଡ଼ିଶା ୱେୟାର): କଳାହାଣ୍ଡି, ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୨୪୫୦କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ନୂଆପଡ଼ା ଜିଲ୍ଲାରେ ସାଂଗଠନିକସ୍ତରରେ ବ୍ୟାକଫୁଟରେ ଥିବା ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ଦଳୀୟସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ଦିନିକିଆ ଗସ୍ତରେ ଯାଇ ନୂଆପଡ଼ାର ଖଡ଼ିଆଳଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ । ସେଠାରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା ପାଇଁ ପ୍ରାୟ ୪୪ଟି ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର କରିବେ । ଏଥିରେ ତିଖିାଲି ଡ୍ୟାମଠାରେ ଜଳସେଚନ ପ୍ରକଳ୍ପକୁ ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପ ଉଦଘାଟନ ପରେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ସମେତ ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡା, ଟିଟିଲାଗଡ଼ ଓ ମୁଡ଼ିବାହାଲ ବ୍ଲକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ । ସେହିପରି ଉଦନ୍ତୀ ନଦୀରେ ଏକ ବ୍ରିଜ୍ ଯାହାକି ଧର୍ମଗଡ଼ ଓ ସିନାପାଲି ମଧ୍ୟରେ ସଂଯୋଗ କରୁଛି ତାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏହାବ୍ୟତୀତ ନୂଆପଡ଼ା ଜିଲ୍ଲାରେ ଲୋଏର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ସମେତ ପ୍ରାୟ ୩୬ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । କେବଳ ତିଖିାଲି ଜଳସେଚନ ପ୍ରକଳ୍ପର ଶୁଭାରମ୍ଭକୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖଡ଼ିଆଳ ସଭାମଂଚରେ ରହି ଅନ୍ୟ ସମସ୍ତ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବିଜେଡି ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ନିଜର ନେତାମାନଙ୍କୁ ବ୍ଲକ ଓ ପଂଚାୟତ ଦାୟିତ୍ୱ ନ୍ୟସ୍ତ କରିଛି । ୨୦୧୭ ପଂଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଏବେ ଫୋକସରେ ରଖି ଏସବୁ କାର୍ଯ୍ୟକ୍ରମ ହାତକୁ ନେଇଛି । ତେଣୁ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ସେଠାରେ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ମିଶି ସେମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି । ଦଳର ପ୍ରାୟ ୧୨ମନ୍ତ୍ରୀ, ୪୦ ବିଧାୟକ, ବହୁ ଦଳୀୟ ପଦାଧିକାରୀଙ୍କୁ ନୂଆପଡ଼ାର ୫ଟି ବ୍ଲକ୍ ଓ ବଲାଙ୍ଗିରର ୩ଟି ବ୍ଲକ ଦାୟିତ୍ୱ ଆବଣ୍ଟନ ହୋଇଛି । ବଲାଙ୍ଗିରର ୩ଟି ବ୍ଲକ ଯଥା ବଙ୍ଗମୁଣ୍ଡା,ମୁରିବାହଲ ଓ ଟିଟିଲାଗଡ଼ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁ ଥିବାବେଳେ ସିନାପାଲି ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କୋମନା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ପ୍ରତାପ ଜେନା, ନୂଆପଡ଼ା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନବକିଶୋର ଦାସ ଥିବାବେଳେ ବୋଡେନ୍ ଓ ଖଡ଼ିଆଳ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସୁଜିତ୍ କୁମାର ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ପ୍ରତାପ ଦେବ ରହିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଅରୁଣ ସାହୁ ଓ ରଘୁନନ୍ଦନ ଦାସ ପ୍ରମୁଖଙ୍କ ସମେତ ୮ଟି ଯାକ ବ୍ଲକ ପାଇଁ ମୋଟ ୪୦ଜଣ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏମାନଙ୍କ ବ୍ୟତୀତ ପ୍ରାୟ ୬୦ଜଣ ଦଳୀୟ ପଦାଧିକାରୀଙ୍କୁ ମଧ୍ୟ ଏହି ସବୁ ବ୍ଲକରେ ମୁତୟନ କରାଯିବ । ଏହି ନେତାମାନଙ୍କୁ ଆଜି ରାତିସୁଦ୍ଧା ଖଡ଼ିଆଳ ଓ କଣ୍ଟାବାଞ୍ଜିରେ ପହଂଚିଥିବା ଜଣାପଡ଼ିଛି ।


