ଭୁବନେଶ୍ୱର(ଓଡ଼ିଶା ୱେୟାର):ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପାଇଁ ଆଜି ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଇଡକୋ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ପ୍ଲାଷ୍ଟିକ ପାର୍କ ୧୨୦ଏକର ଜମିରେ ହେବ ଓ ଏଥିରେ ୧୦୭କୋଟି ଟଙ୍କା ବ୍ୟୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପାର୍କ ଜାତୀୟ ରାଜପଥରୁ ଅଢ଼େଇ କିମି ଓ ପାରାଦୀପ ରେଳ ଷ୍ଟେସନଠୁ ୩କିମି ଓ ପାରାଦୀପ ପୋର୍ଟଠୁ ୧୦କିମି ତଥା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠୁ ୧୧୫କିମି ପୂର୍ବରେ ଅବସ୍ଥାପିତ ହେବ । ଏହି ପ୍ରୋଜେକ୍ଟ ପାରାଦୀପ ପିସିପିଆଇଆର ଅନ୍ତର୍ଗତ ଆସୁଛି ଓ ୫୦୦କୋଟି ଟଙ୍କାରୁ ଅଧିକ ନିବେଶ ବିଶିଷ୍ଟ ବିଭିନ୍ନ ବର୍ଗର ୨୫ଟି ଶିଳ୍ପ ସଂସ୍ଥାକୁ ଏଥିରେ ସାମିଲ କରାଯିବ ଓ ପ୍ରାୟ ୧୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଏମଓୟୁ ସ୍ୱାକ୍ଷର ହେବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଓସିଏଲର ସହଯୋଗ ଲୋଡ଼ି କହିଛନ୍ତି ଯେ ପାରାଦୀପ ପିସିପିଆଇଆରର ସହାୟତା ଲୋଡ଼ି କହିଛନ୍ତି ଯେ ଏଠାରେ ସ୍ଥାନୀୟ ଉଦ୍ୟୋଗୀଙ୍କ ସହାୟତା ଓ ଡାଉନଷ୍ଟ୍ରିମ ଶିଳ୍ପକୁ ପ୍ରୋତ୍ସାହନ କରିବା ଦିଗରେ କାର୍ଯ୍ୟ କରୁ । ପ୍ଲାଷ୍ଟିକ ପାର୍କ ଆସିଲେ ତାହା ପେଟ୍ରୋ କେମିକାଲ ଶିଳ୍ପ ପାଇଁ ସହାୟକ ହେବ ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଇଓସିଏଲ ଏହି ପ୍ରୋଜେକ୍ଟ ପାଇଁ ୪୦କୋଟି ଟଙ୍କା ଯୋଗାଇ ଦେବ । ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଆଇଓସିଏଲ୍ ପକ୍ଷରୁ ଆବଶ୍ୟକ କଂଚାମାଲା ସବସିଡି ଦରରେ ପ୍ରଦାନ କରାଯିବ । ତେବେ ଏଥିପାଇଁ ସ୍ଥାନୀୟ ସରକାର ଆବଶ୍ୟକ ସହାୟତା କରୁ ବୋଲି ଶ୍ରୀ ପ୍ରଧାନ ଦାବି କରିଥିଲେ । ଇଡକୋ ଏହି ପ୍ରୋଜେକ୍ଟରେ ୪୯ ପ୍ରତିଶତ ଶେୟାର ହୋଲଡର ଥିବାବେଳେ ସେଠାରେ ସମସ୍ତ ପ୍ରକାରର ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେବ ବୋଲି କୁହାଯାଇଛି ।
ଏହି ଏମଓୟୁବେଳେ ଏମଏସଏମଇ ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


