ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଏବେ ବିଜେପୁର ପାଇଁ ପୁଳାପୁଳା ପ୍ୟାକେଜ୍ ଘୋଷଣା କରିଛନ୍ତି । ବିଜେପୁରବାସୀଙ୍କ ପାଇଁ ୧୨୪୬ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ସହ ଅତିରିକ୍ତ ୧୦୦କୋଟି ଟଙ୍କାର ରାସ୍ତା, ବ୍ରିଜ୍ ଓ ଅନ୍ୟାନ୍ୟ ମରାମତି ପାଣ୍ଠି ଘୋଷଣା ପରେ ଆଜି ବିଜେପୁରକୁ ଏନ୍ଏଏସି ମାନ୍ୟତା ଓ ସେଠାରେ ଏକ ସବ୍ ରେଜିଷ୍ଟ୍ରାର ଅଫିସ୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଦୀର୍ଘଦିନ ଧରି ବିଜେପୁର ବ୍ଲକ୍ କୁ ଏନ୍ଏଏସି ମାନ୍ୟତା ଦେବାକୁ ଦାବି ହେଉଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜେପୁରକୁ ଏନଏଏସି ମାନ୍ୟତା ମିଳିଛି । ବିଜେପୁରରେ ଏକ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ନିମନ୍ତେ ସରକାର ଅନୁମତି ଦେଇଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ସବ୍ ରେଜିଷ୍ଟ୍ରାର ଅଫିସ୍ ଖୋଲାଯିବା ଦ୍ୱାରା ବିଜେପୁରର ୧୧୦ଟି ଗାଁର ଲୋକ ଉପକୃତ ହେବେ । ସେମାନଙ୍କୁ ଆଉ ଜମିଜମା ରେଜିଷ୍ଟ୍ରେସନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୪୦କିମି ଦୂର ସୋହେଲା ସବ୍ ରେଜିଷ୍ଟ୍ରାର ଅଫିସ୍ ଯିବାକୁ ପଡ଼ିବ ନାହିଁ । ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ରାଜ୍ୟ ସରକାର ବିଜେପୁର ବ୍ଲକ୍ କୁ ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ(ଏନ୍ଏସି)ରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଆଜି ଗେଜେଟ୍ ଅଧିସୂଚନା ଜାରି ହୋଇଛି ।


