ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଆଉ ୬ଟି ନୂଆ ପ୍ଲାନେଟୋରିୟମ ଓ ୩୦ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ ୧୦୦କୋଟି ଟଙ୍କା ବିନିଯୋଗ କରାଯିବ । ଏହାସହିତ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମକୁ ଥ୍ରୀ-ଡି ପ୍ଲାନୋଟୋରିୟମରେ ପରିଣତ କରାଯିବ ।
ଆଜି ଭିଡିଓ କନଫରେନ୍ସିଂରେ ରାୟଗଡ଼ାରେ ଏକ ପ୍ଲାନେଟୋରିୟମ ଓ କୋରାପୁଟର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ଏବେ ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି(ନଲେଜ ଇକୋନୋମି) ଦିଗରେ ଅଗ୍ରସର ହେଉଛି । ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ, ଆଇଟି, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡ଼ାଠାରେ ଉପସ୍ଥିତ ରହି ଏହି ପ୍ଲାନେଟୋରିୟମ ସ୍ଥାପନ ଦ୍ୱାରା ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଥିଲେ ।
ସେହିପରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାନେଟୋରିୟମ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯାଉଛି । ଭୁବନେଶ୍ୱର ପ୍ଲାନେଟୋରିୟମକୁ ଆହୁରି ବଡ଼ କରାଯାଇ ସେଠାରେ ୧୨୦ଜଣ ଏକସଙ୍ଗେ ବସିବାର ବ୍ୟବସ୍ଥା କରାଯାଉଛି । ଜୟପୁରରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଉପସ୍ଥିତ ରହିଥିଲେ ।


