ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ରାଜ୍ୟ ସରକାର ସଡ଼କ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କ ପାଇଁ ଏକ କୋଟି ଟଙ୍କାର କ୍ଷତିପୂରଣ ପାଣ୍ଠି ଗଠନ କରିଛନ୍ତି । ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଏହି ପାଣ୍ଠିରୁ ତ୍ୱରିତ୍ କ୍ଷତିପୂରଣ ଦେବା ପାଇଁ ଏକ ଗାଇଡ୍ଲାଇନ୍ ଜାରି ହୋଇଛି ।
ମିଳିଥିବା ସୂଚନା ଅନୁସାରେ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ପାଣ୍ଠିର ପରିଚାଳନା ଦାୟିତ୍ୱରେ ପରିବହନ କମିଶନର ରହିବେ । ସେ କ୍ଲେମ୍ ସେଟେଲମେଣ୍ଟ୍ ଅଫିସର୍ ଓ ଆରଟିଓମାନେ କ୍ଲେମ୍ ଇନ୍କ୍ୱାରୀ ଅଫିସର୍ ଭାବେ କାର୍ଯ୍ୟ କରିବେ । ଏହି ପାଣ୍ଠିରୁ ସଡ଼କ ଦୁର୍ଘଟଣାରେ ମୃତ ଯେକୌଣସି ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ହଜାର ଟଙ୍କାର କ୍ଷତିପୂରଣ ମିଳିବ । ଏହି କ୍ଷତିପୂରଣ ରାଶିକୁ ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଯଥାଶୀଘ୍ର ଅବା ଅତିବେଶୀରେ ୧୫ଦିନ ମଧ୍ୟରେ ପ୍ରଭାବିତ ବ୍ୟକ୍ତି ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଯୋଗାଇ ଦିଆଯିବ । ତେବେ ଏହି କ୍ଷତିପୂରଣ ପାଇଁ ଜଣେ ଅତିବେଶୀରେ ୬ମାସ ମଧ୍ୟରେ ଆବେଦନ କରିବାକୁ ବାଧ୍ୟ ହେବେ । ଯଦି ଦୁର୍ଘଟଣା ଘଟାଇଥିବା ଗାଡ଼ି ବିଳମ୍ବରେ ଚିହ୍ନଟ ହୁଏ ତା’ହେଲେ ସମ୍ପୃକ୍ତ ଗାଡ଼ିର ବୀମା ଅର୍ଥକୁ ପ୍ରଭାବିତ ବ୍ୟକ୍ତି କିମ୍ବା ତାଙ୍କ ନିକଟ ସମ୍ପର୍କୀୟ ପାଇବା ପରେ ସେ ନେଇଥିବା କ୍ଷତିପୂରଣ ରାଶିକୁ ପରିବହନ କମିଶନରଙ୍କୁ ଫେରାଇବେ ବୋଲି ଏହି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି ।


