ଭୁବନେଶ୍ୱର(ଓଡ଼ିଶା ୱେୟାର):ପ୍ରାୟ ୧୧ମାସ ପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ । କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ସରକାରୀ ଛୁଟି ରହିବ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ରାଜ୍ୟର ସରକାରୀ ଅଫିସଗୁଡ଼ିକ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ । ଫେବୃୟାରୀ ପହିଲାରୁ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକରେ ଫେବୃୟାରୀ ପହିଲାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶତପ୍ରତିଶତ କର୍ମଚାରୀ ଓ ଅଫିସରଙ୍କ ଉପସ୍ଥିତ ରହିବ । ତେବେ ପୂର୍ବଭଳି ସମସ୍ତ ଶନିବାର ରାଜ୍ୟ ତମାମ ଛୁଟି ରହିବ । ଯଦି କୌଣସି ବିଭାଗୀୟ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଯୋଗୁ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ନହେବ ତା’ହେଲେ ସମ୍ପୃକ୍ତ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ କର୍ମଚାରୀଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରିପାରିବେ । ସରକାରୀ ଅଫିସଗୁଡ଼ିକ ପାଇଁ ୨୦୨୦ ଜୁନ୍ ୮ତାରିଖରେ ଜାରି ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି କର୍ମଚାରୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୁଅନ୍ତି ସମ୍ପୃକ୍ତ ଅଫିସକୁ ୨୦୨୦ ଜୁଲାଇ ୨୩ତାରିଖରେ ଜାରି ହୋଇଥିବା ପ୍ରୋଟୋକଲକୁ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
କାର୍ଯ୍ୟାଳୟଗୁଡ଼ିକରେ ଶତପ୍ରତିଶତ କର୍ମଚାରୀ ରହିଥିଲେ ମଧ୍ୟ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ମାସ୍କ ଓ ସାନିଟାଇଜେସନ୍ କରିବା ପୂର୍ବଭଳି ବାଧ୍ୟତାମୂଳକ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସଠୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଶତପ୍ରତିଶତ ଉପସ୍ଥିତି ଉପରେ କଟକଣା ରହିଥିଲା । ଏପରିକି ଜାନୁୟାରୀ ମାସରେ ମଧ୍ୟ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସଗୁଡ଼ିକରେ ସର୍ବାଧିକ ୭୫ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ନିମନ୍ତେ ଅନୁମତି ମିଳିଥିଲା ।


