ଖୋଲିବନି ନୂଆ ଭାଙ୍ଗ ଦୋକାନ
ସବୁ ମଦ ଦୋକାନ ଲାଇସେନ୍ସ ଫି ବଢ଼ିଲା
ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୮-୧୯ ବର୍ଷ ପାଇଁ ନୂଆ ଅବକାରୀ ନୀତି ଘୋଷଣା କରିଛନ୍ତି । ଏହି ନୂଆ ଅବକାରୀ ନୀତି ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ । ଏଥିରେ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନର ନବୀକରଣ ଓ ନୂଆ ଆବେଦନର ଫି’ରେ ୨୦ ପ୍ରତିଶତ ବୃଦ୍ଧି କରିଥିବାବେଳେ ନୂଆ ଭାଙ୍ଗ ଦୋକାନ ପାଇଁ ଆଉ ଲାଇସେନ୍ସ ନଦେବାକୁ ନିଷ୍ପତ୍ତି ହୋଇଛି । ଠିପି ବନ୍ଦ ମଦଦୋକାନରେ ଏଣିକି ସ୍ପଷ୍ଟ ଭାବେ ‘ଅତ୍ୟଧିକ ମଦ ସେବନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ’ ବୋଲି ପ୍ରଦର୍ଶିତ ହେବ । ଏହା ବ୍ୟତୀତ ହାଲ୍କା ମାଦକ ପାନୀୟକୁ ପ୍ରୋତ୍ସାହନ ଦେବା ପାଇଁ ଅବକାରୀ ଶୁଳ୍କକୁ ହ୍ରାସ କରିଥିବାବେଳେ ଓଡ଼ିଶାରେ ମଦ ନିର୍ମାଣକାରୀଙ୍କ ନିମନ୍ତେ ବଟଲିଂ ଫିକୁ ସମ୍ପୂର୍ଣ୍ଣ ଛାଡ୍ କରିଛନ୍ତି । ରାଜ୍ୟକୁ ମଦ ନୂଆ ବ୍ରାଣ୍ଡ ପ୍ରବେଶକୁ ସୁଗମ କରିବା ପାଇଁ ଲେବଲ୍ ରେଜିଷ୍ଟ୍ରେସନ୍ ଫି’ରେ ସରଳୀକରଣ କରିଛନ୍ତି ।
ଅବକାରୀ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦୧୮-୧୯ ମସିହାରେ ସବୁ ବର୍ଗର ନୂଆ ଠିପି ଖୋଲା ମଦ ଦୋକାନ ଏବଂ ଠିପି ବନ୍ଦ ମଦଦୋକାନର ଆବେଦନ ଫି’ ଓ ନବୀକରଣ ଫି’କୁ ୧ଲକ୍ଷ ଟଙ୍କା କରାଯାଇଛି । କୌଣସି ସପିଙ୍ଗ୍ କମ୍ଲେକ୍ସ, ସପିଂଙ୍ଗ୍ ମଲ୍ ଓ ଗ୍ରାମାଞ୍ଚଳରେ ଠିପି ଖୋଲା ମଦ ଦୋକାନ ପାଇଁ ଲାଇସେନ୍ସ ଜାରି କରାଯିବ ନାହିଁ । ତେବେ ଯେଉଁ ସପିଙ୍ଗ୍ କମ୍ଲେକ୍ସରେ ତାରକା ହୋଟେଲ ଥିବ ସେଠାରେ ଠିପି ଖୋଲା ମଦ ଦୋକାନ ପାଇଁ ଅନୁମତି ମିଳିବ । ନୂଆ ଭାଙ୍ଗ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସେହିପରି ଠିପି ବନ୍ଦ ମଦ ଦୋକାନଗୁଡ଼ିକରେ କୌଣସି ପରିସ୍ଥିତିରେ ବି ‘ସରକାରୀ/ଗଭର୍ଣ୍ଣମେଣ୍ଟ’ ଶବ୍ଦର ଉପଯୋଗ କରାଯିବ ନାହିଁ । ଅନେକ ସ୍ଥାନରେ ମଦ ଦୋକାନରେ ‘ସରକାରୀ’ ଦୋକାନ ବୋଲି ଉଲ୍ଲେଖ ରହୁଥିବାରୁ ନୂଆ ଅବକାରୀ ନୀତିରେ ଏନେଇ କଡ଼ାକଡ଼ି ପ୍ରାବଧାନ କରାଯାଇଛି । ଗ୍ରାହକଙ୍କୁ ଏମ୍ଆରପିରୁ ଅଧିକ ଦରରେ ମଦ ବିକ୍ରି କରାଯାଇ ପାରିବ ନାହିଁ । ଗ୍ରାହକ ଚାହିଁଲେ ଏନେଇ କ୍ୟାସମୋମୋ ମିଳିପାରିବ । ଏମ୍ଆରପିଠାରୁ ଅଧିକ ଦରରେ ମଦ ବିକ୍ରି କଲେ ଦଣ୍ଡର ପ୍ରାବଧାନ ରହିଛି । ସମସ୍ତ ଠିପି ବନ୍ଦ ଓ ‘କଣ୍ଟ୍ରି ଲିକ୍ର’ ଦୋକାନରେ ମଦର ଦର ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ । ସେହିପରି ୨୦୧୭-୧୮ ମସିହା ଭଳି ୨୦୧୮-୧୯ରେ ମଧ୍ୟ ଡ୍ରଟ୍ ବିୟରକୁ ପ୍ରୋତ୍ସାହିତ କରାଯାଇଛି । ରାଜ୍ୟର ୬ଟି ସହର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁରରେ ବିୟର ପାର୍ଲର, ଠିପି ଖୋଲା ଦୋକାନ ଓ ରେଷ୍ଟୁରାଣ୍ଟରେ ଏହି ଡ୍ରଟ୍ ବିୟର ବିକ୍ରି ହୋଇପାରିବ । ସେହିପରି ସିଡ୍ୟୁଲ ଏରିଆରେ ଯଦି ଗ୍ରାମସଭାର ଆପତ୍ତି ଥିବ ସେଠାରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ମିଳିବ ନାହିଁ । ସିଡବ୍ଲ୍ୟୁଲ ଏରିଆରେ ନୂଆ ମଦ ଦୋକାନ ଖୋଲିବା କିମ୍ବା ନବୀକରଣବେଳେ ଜିଲ୍ଲାପାଳମାନେ ଗ୍ରାମସଭାର ଅନାପତ୍ତି ପ୍ରମାଣପତ୍ରକୁ କଡ଼ାକଡ଼ି ଭାବେ ବିଚାରକୁ ନେବେ । ସେହିପରି ମହୁଆ ଫୁଲର ଉପଯୋଗ, ରପ୍ତାନୀ,ଆମଦାନୀ ଓ ପରିବହନ କ୍ଷେତ୍ରରେ ଫି’ରେ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ନୂଆ ଅବକାରୀ ନୀତିରେ ‘କଣ୍ଟ୍ରି ସ୍ପିରିଟ୍’ର ନାଁକୁ ‘କଣ୍ଟ୍ରି ଲିକର’ ଭାବେ ପରିବର୍ତ୍ତନ କରାଯାଇଛି । ମଦର ଚୋରା କାରବାର ଉପରେ ନଜର ରଖିବା ପାଇଁ କଠୋର ଦଣ୍ଡ ଓ ଜୋରିମାନାର ପ୍ରାବଧାନ କରାଯାଇଛି ।


