ଭୁବନେଶ୍ୱର : ୨୦୧୭-୧୮ ଖରିଫ ଋତୁ ପାଇଁ ଆଜିଠାରୁ ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ସମଗ୍ର ରାଜ୍ୟରେ ମୋଟ ୩୦୬୪ଟି ମଣ୍ଡି ଖୋଲାଯାଇଥିବାବେଳେ ୧୪୩୬ଜଣ ମିଲ୍ରଙ୍କୁ ଧାନ କ୍ରୟ ପାଇଁ ଅନୁମତି ଦିଆଯାଇଛି । ମୋଟ ୨୫୬୭ଟି ପ୍ରାଥମିକ କୃଷି ସମବାୟ ସମିତି, ଓଡ଼ିଶା ଯୋଗାଣ ନିଗମ, ମାର୍କଫେଡ୍,ଟିଡିସିସି ଓ ଏଫ୍ସିଆଇ ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟା କାର୍ଯ୍ୟ ତ୍ୱରାନ୍ୱିତ ହେବ । ରାଜ୍ୟର ମୋଟ ୩୧୪ଟି ବ୍ଲକ୍ ମଧ୍ୟରୁ ୩୦୮ଟି ବ୍ଲକ୍ରେ ପି-ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ଓ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଂଟ୍ ମାଧ୍ୟମରେ ଧାନ ବିକ୍ରିର ୭ଦିନ ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯିବ । ନଭେମ୍ବର ୭ରୁ ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାରେ ୨୩ଲକ୍ଷ ୭୩ହଜାର ଟନ୍ ଚାଉଳ ସଂଗ୍ରହ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏଥିରେ ସର୍ବାଧିକ ବରଗଡ଼ ଜିଲ୍ଲାରେ ୩ଲକ୍ଷ ଟନ୍,କଳାହାଣ୍ଡି ଓ ଗଞ୍ଜାମରେ ୧.୮୪ଲକ୍ଷ ଟନ୍ ଲେଖାଏ, ସମ୍ବଲପୁରରେ ୧.୭୪ଲକ୍ଷ ଟନ୍, ବଲାଙ୍ଗିରରେ ୧.୨୯ଲକ୍ଷ ଟନ୍ ଚାଉଳ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ଧାନ ପାଇଁ ପଞ୍ଜିକୃତ ହୋଇଥିବା ୯.୨୧ଲକ୍ଷ ଚାଷୀଙ୍କ ମଧ୍ୟରୁ ଆଜିସୁଦ୍ଧା ପ୍ରାୟ ୩.୦୮ଲକ୍ଷ ଚାଷୀଙ୍କ ରେକର୍ଡରେ ତ୍ରୁଟି ଥିବା ଜଣାପଡ଼ିଛି । ଯାହାଫଳରେ ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଂଟରେ ଚାଷୀ ନିଜର ଧାନ ବିକ୍ରି ପ୍ରାପ୍ୟକୁ ପାଇବାରେ ଆଶଙ୍କା ଦେଖାଦେଇଛି । ଖାଦ୍ୟଯୋଗାଣ ସଚିବ ଭି.ଭି.ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରି କହିଛନ୍ତି ଯେ ଅକ୍ଟୋବର ୨୮ତାରିଖ ସୁଦ୍ଧା ଖରିଫ ଧାନ ପ୍ରକ୍ରିୟାକରଣରେ ମୋଟ ୯ଲକ୍ଷ ୨୧ହଜାର ୯୧୪ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଲକ୍ଷ ୭୬ହଜାର ୬୧୪ଜଣ ଚାଷୀଙ୍କ ରେକର୍ଡ ଠିକ୍ ଥିବାବେଳେ ୨ଲକ୍ଷ ୧୨ହଜାର ୮୬୭ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଂଟ୍ ଯାଂଚ ଏବଂ ୯୬,୭୧୪ଜଣ ଚାଷୀଙ୍କ ଜମିଜମା ରେକର୍ଡ(ଭୂଲେଖ) ଯାଂଚ କାର୍ଯ ହୋଇନାହିଁ । ଯେହେତୁ ଚାଷୀଙ୍କୁ ପି-ପାସ୍ ମାଧ୍ୟମରେ ଅନ୍ଲାଇନ୍ରେ ଧାନ ବିକ୍ରି ବାବଦ ପ୍ରାପ୍ୟ ପ୍ରଦାନ କରାଯିବ ତେଣୁ ଏହି ରେକର୍ଡରେ ତ୍ରୁଟି ସମସ୍ୟା ସୃଷ୍ଟି କରିବ । ତେଣୁ ବ୍ୟାଙ୍କ ଆକାଉଂଟ ଯାଂଚ ପାଇଁ ଜିଲ୍ଲା ନିମନ୍ତେ ନିଯୁକ୍ତି ପାଇଥିବା ନୋଡାଲ୍ ବ୍ୟାଙ୍କ ଏବଂ ଜମିଜମା ରେକର୍ଡ ଯାଂଚ କରିବାକୁ ତହସିଲଦାରମାନଙ୍କୁ ତୁରନ୍ତ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଯାଂଚ ରିପୋର୍ଟ ମିଳିବା ପରେ ହିଁ ସମ୍ପୃକ୍ତ ଚାଷୀଙ୍କ ବିସ୍ତୃତ ତଥ୍ୟକୁ ସାଧାରଣ ଯୋଗାଣ ବିଭାଗର ୱେବ୍ସାଇଟ୍ର୍ ଚାଷୀ ପଞ୍ଜିକରଣ ମଡ୍ୟୁଲ୍ରେ ଅପ୍ଲୋଡ୍ କରାଯିବ । ଏଥର ଖରିଫ୍ ଋତୁ ପାଇଁ ମୋଟ ୭୩,୫୩୭ଜଣ ଭାଗ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୧୫୫୦ଟଙ୍କା ଓ ୧୫୯୦(ଗ୍ରେଡ୍-କ) ଟଙ୍କା ପ୍ରଦାନ କରାଯିବ । ୨୦୧୭-୧୮ ଖରିଫ ଋତୁ ପାଇଁ ୪୪ଲକ୍ଷ ମେଟ୍ରିକ ଟନ୍ ଓ ରବି ଋତୁ ପାଇଁ ୯ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ୍ ରଖାଯାଇଛି । ଯାହାକି ଆନୁମାନିକ ୩୬ଲକ୍ଷ ମେଟ୍ରିକ ଟନ୍ ଚାଉଳ ସହ ସମାନ । ତେବେ ତେବେ ଚାଷୀଙ୍କ ରେକର୍ଡ ଠିକ୍ ନଥିବାରୁ ସେମାନେ ଧାନ ବିକ୍ରି କରିବା ପରେ ଆକାଉଂଟ୍ ମାଧ୍ୟମରେ ପ୍ରାପ୍ୟ ମିଳିବାରେ ସମସ୍ୟା ହେବାର ଆଶଙ୍କା ଦେଖାଦେଇଛି । ସୂଚନାଯୋଗ୍ୟ ଗତବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ପରିମାଣକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି । ୨୦୧୬-୧୭ରେ ୫୪.୨୭ଲକ୍ଷ ଟନ୍ ଧାନ(୩୬.୮୦ଲକ୍ଷ ଟନ୍ ଚାଉଳ) ଓ ୨୦୧୫-୧୬ରେ ୫୦.୭୦ଲକ୍ଷ ଟନ୍ ଧାନ(୩୪.୪୪ଲକ୍ଷ ଟନ୍ ଚାଉଳ) ସଂଗ୍ରହ ହୋଇଥିଲା ।


