ଭୁବନେଶ୍ୱର : ଦରମା ବୃଦ୍ଧି ସତ୍ତେ୍ୱ ରାଜଧାନୀରେ ଆନ୍ଦୋଳନରତ ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କୁ ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି । ଚଳିତ ମାସ ୩୧ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ସେ କହିଛନ୍ତି ଯେ, ଜିଆରଏସଙ୍କ ଦାବିକୁ ସରକାର ଗ୍ରହଣ କରି ସେମାନଙ୍କର ଦରମା ୨ହଜାର ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଏହା ସତ୍ୱେ ଆନ୍ଦୋଳନ ଜାରି ରହିଛି । ଜିଆରଏସ୍ ଆନ୍ଦୋଳନ ପଛରେ ବିଜେପିର ହାତ ଥିବା ସେ ଅଭିଯୋଗ କରି କହିଛନ୍ତି ଯେ ଅଙ୍ଗନୱାଡି କର୍ମୀଙ୍କ ଭଳି ଜିଆରଏସ୍ଙ୍କୁ ଧରି ବିଜେପି ରାଜନୀତି କରୁଛି । ଜିଆରଏସମାନେ ବିଜେପି ପାର୍ଟି ଅଫିସ୍ରେ ଖାଇ ଆନ୍ଦୋଳନ କରୁଛନ୍ତି । ଜିଆରଏସଙ୍କ ଦରମା ଓ ଚାକିରିର ସ୍ଥାୟିତ୍ୱ କେନ୍ଦ୍ର ସରକାରଙ୍କ ବିଷୟ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଏହି ପ୍ରସଙ୍ଗରେ ଦିଲ୍ଲୀରେ ଆଲୋଚନା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ରାଜ୍ୟ ସରକାର ଜିଆରଏସଙ୍କ ଦରମା ୫ହଜାରରୁ ୭ହଜାର ଟଙ୍କାକୁ ବୃଦ୍ଧି କରିବା ସହ ସେମାନେ ମାସିକ ମୋଟ ୮୫୦୦ଟଙ୍କା ଦରମା ପାଇବେ ବୋଲି ଶ୍ରୀ ମହାରଥୀ ଘୋଷଣା କରିଥିଲେ । ଏହି ଦରମା ବୃଦ୍ଧି ଘୋଷଣା ପରେ ଗୋଟିଏ ଗୋଷ୍ଠୀ ଆନ୍ଦୋଳନରୁ ଓହରି ଯାଇଛି । କିନ୍ତୁ ସଂଗଠନର ଉପସଭାପତିଙ୍କ ନେତୃତ୍ୱରେ ଅନ୍ୟ ଗୋଷ୍ଠୀ ଆନ୍ଦୋଳନ ଜାରି ରଖିଛି । ଜିଆରଏସ୍ ସଂଘ ଗତ ୧୮ତାରିଖରୁ ଭୁବନେଶ୍ୱରର ପିଏମଜିରେ ଆନ୍ଦୋଳନ କରୁଛି ।


