ଭୁବନେଶ୍ୱର : ଲୋକମାନେ ହେଉଛନ୍ତି ଆମ ପ୍ରଶାସନର କେନ୍ଦ୍ରବିନ୍ଦୁ । ସମାଜର ଶେଷ ଲୋକ ପାଖରେ ଲୋକାଭିମୁଖୀ ଯୋଜନାର ସୁଫଳ ପହଂଚାଇବାରେ ମୋ’ସରକାର କୌଣସି ସୁଯୋଗକୁ ହାତଛଡ଼ା କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହା ସହିତ ଥ୍ରୀ-ଟି ମାଧ୍ୟମରେ ଲୋକଙ୍କ ନିକଟରେ ସେବା ପହଂଚାଇବା ଦିଗରେ ସଚିବଙ୍କଠୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ, ବ୍ଲକ୍ସ୍ ଅଫିସରର୍ମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଜିଲ୍ଲାର ଯେକୌଣସି ଗୁରୁତ୍ୱପୂର୍ଣ୍ଣର୍ ପ୍ରସଙ୍ଗ ଯେଉଁଥିରେ କି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କରିବା ଜରୁରୀ ତାହା ଉପସ୍ଥାପନ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆସନ୍ତା ମୌସୁମୀ ଆରମ୍ଭ ହେବାକୁ ଆଉ ୮ମାସ ବାକି ଅଛି । ଏହି ଅବଧି ମଧ୍ୟରେ ବିଭାଗଗୁଡ଼ିକ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିିବା ଉଚିତ୍ । ବିଶେଷକରି ଭିତିଭୂମି ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ବିଭାଗଗୁଡ଼ିକର ପ୍ରଦର୍ଶନର ସମୀକ୍ଷା ସେ ନିଜେ ଆସନ୍ତା ମାସକ ପରେ କରିବେ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଚିବମାନଙ୍କୁ ପ୍ରତି ମାସର ପ୍ରଥମ ସପ୍ତାହର ୪ଦିନ ଜିଲ୍ଲା ଗସ୍ତରେ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପ୍ରାଥମିକତା ଥିବା ଯୋଜନା ଓ କାର୍ଯ୍ୟକ୍ରମ ଯାହାକି ଆଜିର କର୍ମଶାଳାରେ ଆଲୋଚନା ହୋଇଛି ତା’କୁ ସଚିବମାନେ ତୃଣସ୍ତରରେ ପରିଦର୍ଶନ ଓ ଯାଂଚ କରିବେ । ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଏବଂ ଲୋକଙ୍କୁ ବାସ୍ତବ ସେବା ପ୍ରଦାନକୁ ସୁନିଶ୍ଚିତ କରାଇବା ପାଇଁ ବିଭାଗୀୟ ମୁଖ୍ୟଙ୍କଠାରୁ ଆରମ୍ଭ କରି ବ୍ଲକ୍ସ୍ତରର ଅଫିସର୍ମାନେ କ୍ଷେତ୍ର ପରିଦର୍ଶନ କରିବା ନିମନ୍ତେ ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ୍ଣ । ଏନେଇ ଥିବା ଗାଇଡ୍ଲାଇନ୍କୁ ସମ୍ପୃକ୍ତ ବିଭାଗ ପାଳନ କରି ସଚିବ ଓ ଜିଲ୍ଲାପାଳସ୍ତରରେ ସମସ୍ତ ଅଧିକାରୀଙ୍କ ପ୍ରଦର୍ଶନ ସମୀକ୍ଷା କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଗତ ଜୁନ୍ମାସରେ ଅନୁଷ୍ଠିତ ଜିଲ୍ଲାପାଳ କର୍ମଶାଳାରେ ସିଏ ଥ୍ରୀ-ଟି(ଟେକ୍ନୋଲୋଜି,ଟିମ୍ ୱାର୍କ ଓ ଟ୍ରାନ୍ସପରେନ୍ସି) ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇବାରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଜିଲ୍ଲାପାଳ କର୍ମଶାଳାକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍ଘାଟନ କରି କହିଥିଲେ ଯେ ଦାରିଦ୍ର୍ୟମୁକ୍ତ ଓଡିଶା ଗଠନ ଦିଗରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ । ତଳସ୍ତରରେ ଲୋକଙ୍କ ନିକଟରେ ସରକାରୀ ସେବା ଓ ସମସ୍ତ ଯୋଜନା କିଭଳି ସଠିକ୍ ଭାବେ ପହଂଚିବ ସେ ଦିଗରେ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା ଜରୁରୀ । ଜିଲ୍ଲାପାଳମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ମରୁଡ଼ି କ୍ଷୟକ୍ଷତି ରିପୋର୍ଟ ପଠାଇଥିବାରୁ ମୁଖ୍ୟ ସଚିବ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ପ୍ରଦୀପ ମହାରଥୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା ଓ ରମେଶ ମାଝୀ ଉପସ୍ଥିତ ଥିଲେ । ସମ୍ମିଳନୀର ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ସରକାରୀ ଯୋଜନା ଉପରେ ପାୱାରପଏଂଟ ପ୍ରେଜେଂଟେସନ୍ ଅନୁଷ୍ଠିତ ହୋଇଥିଲା ।


