ଭୁବନେଶ୍ୱର : ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତଙ୍କ ମାଧ୍ୟମରେ କଂଗ୍ରେସକୁ ମେଂଟ ଅଫର୍ ଦେଇ ରାଜନୀତିକ ପାଣିପାଗ ପରଖିବାକୁ ଯୋଜନା କରୁଥିବା ବିଜେଡି ଏବେ ବ୍ୟାକ୍ଫୁଟ୍କୁ ଆସିଛି । ଦାମଙ୍କ ଗୁଗ୍ଲିକୁ ନେଇ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ସହ କଂଗ୍ରେସର ନକରାତ୍ମକ ବୟାନ ଏବେ ବିଜେଡି ସୁପ୍ରିମୋଙ୍କୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବାଧ୍ୟ କରିଛି । ମେଂଟ ପ୍ରସଙ୍ଗରେ ଦାମଙ୍କ ‘ଗୁଗଲି’କୁ ତାଙ୍କ ଦଳ ବିଜେଡି ଏବେ ତାଙ୍କର ନିଜସ୍ୱ ମତ ବୋଲି କହି ଏଡ଼ାଇବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଦାମ ଓ ବିଜେଡିକୁ ଟାର୍ଗେଟ୍ କରି ପ୍ରତିକ୍ରିୟା ବ୍ୟକ୍ତ କରିଛି । ପରିବର୍ତିତ ସ୍ଥିତିକୁ ଆକଳନ କରି ଦାମ ମଧ୍ୟ ନିଜର ସ୍ୱରରେ ଆଜି ପରିବର୍ତନ କରିଛନ୍ତି । ତାଙ୍କ କଥାକୁ ଭୁଲ୍ ଢଙ୍ଗରେ ଉପସ୍ଥାପନ କରାଯାଇଛି ବୋଲି ଗଣମାଧ୍ୟମ ଉପରେ ଦୋଷ ଦେଇ ଖସିବାକୁ ଦାମ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।
ଦାମଙ୍କ ମେଂଟ ଅଫର୍କୁ ନେଇ ଗତକାଲିଠାରୁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଂଟ ପ୍ରସଙ୍ଗରେ ଟ୍ୱିଟର ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଓ ବିଜେପିଠାରୁ ତାଙ୍କ ଦଳ ସମଦ୍ୱରତ୍ୱ ବଜାୟ ରଖିବାରେ ବିଶ୍ୱାସ କରେ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ରାଜ୍ୟର ହକ୍ ପାଇଁ ଲଢ଼େଇ ଜାରି ରଖିବ । ସେହିପରି ଦଳର ବରିଷ୍ଠ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଦାମଙ୍କ ଦେଇଥିବା ବୟାନ ତାଙ୍କର ନିଜସ୍ୱ ମତ, ଏଥିରେ ଦଳର କିଛି ଭୂମିକା ନାହିଁ । ବିଜେଡି ଏବେ ବି କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ନୀତିକୁ ବଜାୟ ରଖିଛନ୍ତି । ତେବେ ଦାମ ଗତକାଲି ଦେଇଥିବା ବୟାନରେ ଆଜି ସାମାନ୍ୟ ପରିବର୍ତନ କରିଛନ୍ତି । ଦାମ କହିଛନ୍ତି ଯେ ତାଙ୍କର କଥାକୁ ଅକଥା କରାଯାଇଛି । ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ଆସିଲେ ସମସ୍ତେ ଏକଜୁଟ ହୋଇ ଲଢ଼େଇ କରିବା ଉଚିତ୍ । ଓଡ଼ିଆ ଜାତିର ହକ୍ ପାଇଁ ବିଜେଡି ଏକା ଲଢ଼ିବାକୁ ସମର୍ଥ । ଏଥିପାଇଁ କାହାରି ସହାୟତା ଆବଶ୍ୟକତା ନାହିଁ । ମାତ୍ର ସାମ୍ପ୍ରତିକ ରାଜନୀତିକ ପରିପ୍ରେକ୍ଷୀରେ ବିଜେଡି ପାଇଁ କଂଗ୍ରେସ ଅଛୁଆଁ ନୁହେଁ । ଦଳରେ କିଏ କ’ଣ ବୁଝନ୍ତୁ ତାହା ସେ ବୁଝନ୍ତି ନାହିଁ । ମାତ୍ର ସାମ୍ପ୍ରଦାୟିକ ଶକ୍ତିକୁ ରୋକିବାକୁ ହେଲେ ବିଜେଡି ପାଇଁ କଂଗ୍ରେସ ଅଛୁଆ ନୁହେଁ ବୋଲି ସେ ପୁଣିଥରେ ସ୍ପଷ୍ଟ କରିଛନ୍ତି । ଦାମଙ୍କ ଗତକାଲିର ମେଂଟ ଅଫର୍ ଉପରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ ମାଧ୍ୟମରେ ଦେଇଥିବା ବୟାନକୁ ମଧ୍ୟ ଡାକ୍ତର ରାଉତ ଆଜି ପାଲଟା ଆକ୍ରମଣ କରିଛନ୍ତି । ୮୦ ଓ ୯୦ଦଶକରେ ଓଡ଼ିଶା ରାଜନୀତିରେ ବୈଜୟନ୍ତଙ୍କ ସ୍ଥିତି କ’ଣ ଥିଲା, ତାହା ସେ ଜାଣି ରଖିବା ଉଚିତ୍ । ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ମେଂଟ ଅଫ୍ର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିଜେଡିର ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ । ୯ବର୍ଷ ଧରି ବିଜେପି ସହ ବିଜେଡି ଏକାଠି ରହିବା ପରେ ପରସ୍ପର ଛଡ଼ାଛଡ଼ି ହୋଇଯାଇଥିଲେ । ଏବେ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ବିଜେଡି ସମର୍ଥନ କରିଥିଲା । ଡେରିରେ ହେଲେ ବି ଦାମବାବୁଙ୍କ ବୁଦ୍ଧି ଜାଗ୍ରତ ହୋଇଛି ଓ ସେ ମେଂଟ କଥା କହିଛନ୍ତି । ତାଙ୍କର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର କହୁଛନ୍ତି ମେଂଟ ହେବନି, ଦାମବାବୁ କହୁଛନ୍ତି ମେଂଟ ହେବ । ତେଣୁ ପ୍ରଥମେ ଦାମବାବୁ ନିଜ ଘରେ ସ୍ଥିର କରନ୍ତୁ ମେଂଟ ହେବ କି ନାହିଁ । ବିଜେଡି ସହ କଂଗ୍ରେସର ମେଂଟ ନିଶ୍ଚିତ ଭାବେ ଆତ୍ମହତ୍ୟା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଉଷ୍ମ ହେବ ବିଧାନସଭା ଶୀତ ଅଧିବେଶନ: ରଣନୀତି ଚୂଡ଼ାନ୍ତ କଲେ ଶାସକ-ବିରୋଧୀ
ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ...