ଭୁବନେଶ୍ୱର : ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିଷ୍ପତିରେ ପରିବର୍ତନ କରିଛନ୍ତି । ସଂସଦର ଷ୍ଟାଣ୍ଡିଂ କମିଟିରେ ଥିବା ବିଜେଡି ସଭ୍ୟମାନେ ପୂର୍ବଭଳି କାର୍ଯ୍ୟ କରିବେ । ଆଜି ଏ ସମ୍ପର୍କରେ ସୂଚନା ଦେଇ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେବାକୁ କହିଥିଲେ । କିନ୍ତୁ ଆଜି କହିଛନ୍ତି ଯେ ଯିଏ ଯେଉଁ କମିଟିରେ ଅଛନ୍ତି ସେଭଳି କାମ କରନ୍ତୁ । ସୂଚନାଯୋଗ୍ୟ ଗତ ୨ଦିନ ପୂର୍ବରୁ ସଂସଦୀୟ ଦଳ ବୈଠକବେଳେ ଷ୍ଟାଣ୍ଡିଂ କମିଟିରୁ ବିଜେଡି ସଦସ୍ୟମାନଙ୍କୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଦଳର ସାଂସଦମାନେ ନିଜର ଲିଖିତ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ କିନ୍ତୁ ଏବେ ଷ୍ଟାଣ୍ଡିଂ କମିଟିରେ ପରିବର୍ତନକୁ ନେଇ ଟେକନିକାଲ ସମସ୍ୟା ରହିଥିବାରୁ ବିଜେଡି ସୁପ୍ରିମୋ ବାଧ୍ୟ ହୋଇ ନିଜର ନିଷ୍ପତି ପରିବର୍ତନ କରିଛନ୍ତି । ସୂଚନାଯୋଗ୍ୟ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ ସେ ରହିଥିବା ଷ୍ଟାଣ୍ଡିଂ କମିଟିରୁ ତାଙ୍କୁ ବିତାଡ଼ିତ କରିବା ପାଇଁ ଏଭଳି ନିଷ୍ପତି ପୂର୍ବରୁ ନିଆଯାଇଥିବା ଚର୍ଚ୍ଚା ।


