ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲୋକସଭାରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ତାଙ୍କୁ ଷ୍ଟାଣ୍ଡିଂ କମିଟିରୁ ବାଦ୍ ଦେବା ନିମନ୍ତେ ଆଜି ବିଜେଡି ପକ୍ଷରୁ ଦାବି ହୋଇଛି । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଆଜି ଲିଖିତ ଭାବେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲୋକସଭାରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ତାଙ୍କୁ ଷ୍ଟାଣ୍ଡିଂ କମିଟିରୁ ବାଦ୍ ଦେବା ନିମନ୍ତେ ଆଜି ବିଜେଡି ପକ୍ଷରୁ ଦାବି ହୋଇଛି । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଆଜି ଲିଖିତ ଭାବେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦଳରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏକଘରିକିଆ କରିବା ପାଇଁ ବିଜେଡି ପକ୍ଷରୁ ପ୍ରୟାସ ଜୋରଦାର ହୋଇଛି । ଶ୍ରୀ ମହତାବ ଆଜି ଲୋକସଭା ବାଚସ୍ପତି ଶ୍ରୀମତୀ ମହାଜନଙ୍କୁ ଲିଖିତ ଭାବେ ବୈଜୟନ୍ତଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି । ଶ୍ରୀ ମହତାବ କହିଛନ୍ତି ଯେ ୨୦୧୮ ଜାନୁୟାରୀ ୨୪ ତାରିଖରେ ଶ୍ରୀ ପଣ୍ଡାଙ୍କୁ ଦଳରୁ ବିଜେଡି ସଭାପତି ନିଲମ୍ବନ କରିଛନ୍ତି । ତେଣୁ ଲୋକସଭା ଚାମ୍ବରରେ ବିଜେଡି ସାଂସଦଙ୍କ ପାଇଁ ଚିହ୍ନିତ ସିଟ୍ରୁ ଅଲଗା କରି ସ୍ୱତନ୍ତ୍ର ସିଟ୍ ଶ୍ରୀ ପଣ୍ଡାଙ୍କୁ ଆବଣ୍ଟିତ କରାଯାଉ । ବିଜେଡିର ସଂଖ୍ୟା ଆଧାରରେ ଶ୍ରୀ ପଣ୍ଡା ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଯେହେତୁ ତାଙ୍କର ବିଜେଡିର ସଦସ୍ୟତା ନିଲମ୍ବନ କରାଯାଇଛି ତେଣୁ ତାଙ୍କ ପରିବର୍ତ୍ତେ ଦଳର ଅନ୍ୟ ସାଂସଦଙ୍କୁ ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ନିଆଯାଉ ବୋଲି ଶ୍ରୀ ମହତାବ ଦାବି କରିଛନ୍ତି । ସୂଚନାଯୋଗ୍ୟ ସାଂସଦ ଶ୍ରୀ ପଣ୍ଡା ଏବେ ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର କନ୍ସଲ୍ଟିଭ୍ କମିଟିର ସଦସ୍ୟ ଅଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଦିନ ପୂର୍ବରୁ ସଂସଦୀୟ ଦଳର ବୈଠକରେ ସମସ୍ତ ସାଂସଦଙ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ପଦରୁ ଲିଖିତ ଇସ୍ତଫା ଦେବାକୁ କହିଥିଲେ । ସଭାପତିଙ୍କ ନିର୍ଦ୍ଦେଶରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ପଦରୁ ଦଳର ସାଂସଦମାନେ ଇସ୍ତଫା ଦେଇଥିଲେ । କିନ୍ତୁ ଆଜି ନବୀନ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରି ଦଳର ସମସ୍ତ ସାଂସଦଙ୍କୁ ପୂର୍ବଭଳି ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।ଅନ୍ୟପକ୍ଷରେ ବିଜେଡି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ ଜାରି କହିଛନ୍ତି ଯେ, ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଶ୍ରୀ ପଣ୍ଡା ବିଜୟୀ ହେବା ପରେ ଲୋକସଭାର ଅର୍ଥ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେବାକୁ ଦଳୀୟ ନେତୃତ୍ୱଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । ସେ ଉପରମହଲରେ ଆବଶ୍ୟକ ଲବି କରି ଏହି ପଦ ପାଇପାରିବେ ବୋଲି ଦଳର ସଭାପତିଙ୍କୁ କହିଥିଲେ । କିନ୍ତୁ ଦେଶ ଓ ରାଜ୍ୟର ସ୍ୱାର୍ଥ ଏବଂ ଶିଳ୍ପ ଗୋଷ୍ଠୀର ଲବିକୁ ଦୃଷ୍ଟିରେ ରଖି ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କର ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ । ଏହାପରେ ୪ବର୍ଷ ଧରି ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟରେ ଲିପ୍ତ ରହିବାରୁ ତାଙ୍କୁ ଜାନୁୟାରୀ ମାସରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ତେଣୁ ବିଜେଡି ନିଜର ନିର୍ମଳ ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ଶ୍ରୀ ପଣ୍ଡାଙ୍କୁ ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରୁ ବାଦ୍ ଦେବାକୁ ଅନୁରୋଧ କରାଯାଇଛି ବୋଲି ବିଜେଡି ସଫେଇ ଦେଇଛି ।


