ଭୁବନେଶ୍ୱର : କେନ୍ଦ୍ର ସରକାର ୨୦୧୮-୧୯ ମସିହାରେ ଓଡ଼ିଶା ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ ଗ୍ରାମ୍ୟ ନିଯୁକ୍ତି ଯୋଜନା(ମନରେଗା)ର ଦୈନିକ ପାରିଶ୍ରମିକରେ ୬ଟଙ୍କା ବୃଦ୍ଧି କରିଛନ୍ତି । ୨୦୧୭-୧୮ ମସିହାରେ ମନରେଗା ପାରିଶ୍ରମିକ ମାତ୍ର ୨ଟଙ୍କା ବୃଦ୍ଧି ହୋଇଛି । ଏପ୍ରିଲ ପହିଲାରୁ ଓଡ଼ିଶାରେ ମନରେଗା ପାରିଶ୍ରମିକ ଦୈନିକ ୧୮୨ଟଙ୍କା ଲାଗୁ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ପଞ୍ଚାୟତିରାଜ ସଚିବଙ୍କୁ ଚିଠି ଲେଖି ୨୦୧୮-୧୯ ମସିହାରେ ମନରେଗା ପାରିଶ୍ରମିକ ବୃଦ୍ଧିକୁ ସମ୍ପର୍କରେ ଅବଗତ କରିବା ସହ କେନ୍ଦ୍ର ସରକାରଙ୍କ ଏ ସଂକ୍ରାନ୍ତ ବିଜ୍ଞପ୍ତି ପଠାଇଛନ୍ତି । ଓଡ଼ିଶାରେ ୨୦୧୭-୧୮ରେ ମନରେଗା ପାରିଶ୍ରମିକ ଦୈନିକ ୧୭୬ଟଙ୍କା ଥିବାବେଳେ ଏବେ ଏହା ୧୮୨ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୬-୧୭ରେ ମନରେଗା ପାରିଶ୍ରମିକ ୧୭୪ଟଙ୍କା ଥିଲା । ସେହିପରି ୨୦୧୮-୧୯ ପାଇଁ ଆନ୍ଧ୍ରପ୍ରଦେଶ ନିମନ୍ତେ ମନରେଗା ପାରିଶ୍ରମିକରେ ୮ଟଙ୍କା ବୃଦ୍ଧି ହୋଇଥିବାବେଳେ ବିହାରରେ ୯ଟଙ୍କା, ଛତିଶଗଡ଼ରେ ୨ଟଙ୍କା, ମଧ୍ୟପ୍ରଦେଶରେ ୨ଟଙ୍କା, ଗୁଜରାଟରେ ୨ଟଙ୍କା, ହରିଆଣାରେ ୪ଟଙ୍କା, ଝାଡ଼ଖଣ୍ଡରେ ୯ଟଙ୍କା କର୍ଣ୍ଣାଟକରେ ୧୩ଟଙ୍କା ଓ ପଶ୍ଚିମବଙ୍ଗରେ ୧୧ଟଙ୍କା ବୃଦ୍ଧି ହୋଇଛି । ସୂଚନାଯୋଗ୍ୟ, ମନରେଗା ପାରିଶ୍ରମିକରେ ସ୍ୱଳ୍ପ ପରିମାଣର ବୃଦ୍ଧିକୁ ନେଇ ଗତବର୍ଷ ଓଡ଼ିଶା ସରକାର ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟରେ ସର୍ବନିମ୍ନ ପାରିଶ୍ରମିକ ୨୦୦ଟଙ୍କା ଥିବାରୁ ମନରେଗା ପାରିଶ୍ରମିକକୁ ଅତିକମ୍ରେ ୨୦୦ଟଙ୍କା କରିବାକୁ ଦାବି କରିଥିଲେ । ଓଡ଼ିଶାରେ ୬୨.୧୯ଲକ୍ଷ ପରିବାର ମନରେଗା ଜବକାର୍ଡ ପାଇଛନ୍ତି ।


