ଭୁବନେଶ୍ୱର : ବିଜେପୁର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ବିଜୟୀ ନବନିର୍ବାଚିତ ବିଧାୟିକା ରୀତା ସାହୁ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ୍ ତାଙ୍କୁ ବିଧାନସଭା ପ୍ରକୋଷ୍ଠରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଜେଡି ବିଧାୟକମାନେ ଉପସ୍ଥିତ ଥିଲେ । ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀ, ଉପସଚିବ ବିଜୟ କୁମାର ସାହୁ ସମେତ ବିଧଧାନସଭାର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଶପଥ ପାଠ ପରେ ବିଜେପୁରର ବିକାଶ ପାଇଁ ସେ ଉଦ୍ୟମ ଜାରି ରଖିବେ ଓ ତାଙ୍କ ପତି ସ୍ୱର୍ଗତ ସୁବଳ ସାହୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି । ସୂଚନାଯୋଗ୍ୟ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏହି ଆସନରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ।


