ଭୁବନେଶ୍ୱର : ଓଡ଼ିଶାରେ ବିଜେପି ୧୨୦ରୁ ଊଦ୍ଧ୍ୱର୍ ଆସନରେ ଜିତିବ ବୋଲି ଦଳର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଦମ୍ଭୋକ୍ତିକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସରେ ଉଡ଼ାଇ ଦେଇଛନ୍ତି । ଆଜି ବିଜେଡି ମୁଖ୍ୟାଳୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ “ଏହି ଦମ୍ଭୋକ୍ତିର କୌଣସି ଆଧାର ଥିବା ମୁଁ ଦେଖିପାରୁନି ।” ସେହିପରି ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ବୋଲି ଶ୍ରୀ ଶାହଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର କେବେବି ପଶ୍ଚିମ ଓଡ଼ିଶାକୁ ଅବହେଳା କରିନାହିଁ । ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଦଳୀୟ ମୁଖ୍ୟାଳୟରେ କୋରାପୁଟର ୧୪ଟି ବ୍ଲକ୍ ଓ ୪ଟି ପୌର ସଂସ୍ଥାରେ ଗଠିତ ହୋଇଥିବା ଦଳର ୱାର୍ଡ କମିଟିର ଆଗଧାଡ଼ିର ସଦସ୍ୟମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ପ୍ରାୟ ୪୫ମିନିଟ୍ ଧରି ଶ୍ରୀ ପଟ୍ଟନାୟକ କୋରାପୁଟର ୱାର୍ଡ କମିଟି ସଦସ୍ୟଙ୍କ ସହ କଥା ହୋଇ ସେମାନଙ୍କୁ ବିଜେଡି ସରକାର ପ୍ରତି ଥିବା ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବା ପାଇଁ କହିଥିଲେ । ଏହା ସହିତ ସଂଗଠିତ ହୋଇ ବିକାଶ କାର୍ଯ୍ୟକୁ କିଭଳି ଆଗେଇ ନେଇ ହେବ, ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କର ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଶ୍ରୀ ପଟ୍ଟନାୟକ ଅଧିକ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଦଳ ପକ୍ଷରୁ ପ୍ରସ୍ତୁତ ‘ ଓଡ଼ିଶା ବିକାଶର ବାହକ ବିଜେଡି’ ଶୀର୍ଷକ ୪ମିନିଟ୍ର ଭିଡିଓ ପ୍ରଦର୍ଶନ ହୋଇଥିଲା । ଏହି ଅବସରରେ ଦଳୀୟ ମୁଖ୍ୟାଳୟରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।


