ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ଥିବା ୨ଟି ସରକାରୀ ପଲିଟେକ୍ନିକ୍ରେ ନାମଲେଖା ବନ୍ଦ ପାଇଁ ଏଆଇସିଟିଇ କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରେ ଥିବା ସରକାରୀ ପଲିଟେକ୍ନିକ୍ରେ ଚଳିତବର୍ଷ ନାମ ଲେଖା ଉପରେ ଏଆଇସିଟିଇ କର୍ତ୍ତୃପକ୍ଷ ଜାରି କରିଥିବା କଟକଣା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ଏହି ଦୁଇ ପଲିଟେକ୍ନିକ୍ରେ ନିୟମିତ ଅଧ୍ୟାପକ ଓ ପ୍ରଶିକ୍ଷିତ ପ୍ରିନ୍ସିପାଲଙ୍କ ଅଭାବ ଦର୍ଶାଇ ଏଆଇସିଟିଇ କର୍ତ୍ତୃପକ୍ଷ ୨୦୧୮-୧୯ ଶିକ୍ଷା ବର୍ଷରେ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖା ପ୍ରକ୍ରିୟା ଉପରେ କଟକଣା ଜାରି କରିଥିଲେ । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକରଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ ନିମନ୍ତେ ଅନୁରୋଧ କରିବା ସହ ଉଭୟ ଶିକ୍ଷାନୁଷ୍ଠାନରେ ଅନୁମୋଦିତ ପୂର୍ଣ୍ଣ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ସମ୍ପ୍ରସାରିତ କରିବାକୁ କହିଛନ୍ତି । ରାଜ୍ୟ ସରକାର ଏହି ଦୁଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଓ ପ୍ରିନ୍ସିପାଲ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଏହି ଦୁଇ ସରକାରୀ ପଲିଟେକ୍ନିକ୍ ନିମନ୍ତେ ବହୁ ପରିମାଣର ଜମି, କୋଠା ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେଇଥିବାରୁ ରାଜ୍ୟର ଯୁବ ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନାମଲେଖା ପ୍ରକ୍ରିୟା ନିମନ୍ତେ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
ଅଧ୍ୟାପକ ଓ ପ୍ରିନ୍ସିପାଲ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଏଆଇସିଟିଇ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇସାରିଛି । ଏବେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ଖୁବଶୀଘ୍ର ଉଭୟ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଗେଷ୍ଟ୍ ଫ୍ୟାକିଲିଟି ନିଯୁକ୍ତି ଦିଆଯିବ । ଯାହାଫଳରେ ସେଠାରେ ପାଠପଢ଼ା କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅବଗତ କରାଇଛନ୍ତି ।


