ଭୁବନେଶ୍ୱର : ବିମୁଦ୍ରାକରଣର ବର୍ଷପୂର୍ତ୍ତିକୁ ସମର୍ଥନ କରି ଆସନ୍ତା ନଭେମ୍ବର ୮ତାରିଖକୁ ଦେଶବ୍ୟାପୀ କଳାଟଙ୍କା ନିରୋଧ ଭାବେ ପାଳନ ପାଇଁ ବିଜେପି ନିଷ୍ପତ୍ତି ନେଇଥିବାବେଳେ ୧୮ଟି ଅଣବିଜେପି ଦଳ ଏହାକୁ ‘କଳାଦିନ’ ଭାବେ ପାଳିବେ ବୋଲି ଘୋଷଣା କରିଛନ୍ତି । ତେବେ ବିଜେପିର ଏହି ବର୍ଷପୂର୍ତ୍ତି ପାଳନକୁ ବିଜେଡି ସମର୍ଥନ ନା ବିରୋଧ କରିବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିମୁଦ୍ରାକରଣର ବର୍ଷପୂର୍ତ୍ତି ପାଳନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି । ଦଳର ବରିଷ୍ଠ ନେତାଙ୍କ ସହ ବିଚାରବିମର୍ଶ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ବିମୁଦ୍ରାକରଣ ଯୋଗୁ ଦେଶର ଅର୍ଥନୀତିକୁ ମିଳିଥିବା ସଫଳତା ସମ୍ପର୍କରେ ଉକ୍ତ ଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତାମାନେ ଯିବେ । ସେମାନେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ସୁଫଳ ପ୍ରସଙ୍ଗରେ ବୁଝାଇବେ । ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବର ୮ତାରିଖରେ ଦେଶରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍କୁ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରାଯାଇଥିଲା । ଏହି ବିମୁଦ୍ରାକରଣ ନିଷ୍ପତ୍ତିର ବର୍ଷ ପୂର୍ତ୍ତିକୁ ବିଜେପି ‘କଳାଟଙ୍କା ନିରୋଧ ଦିବସ’ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ କଂଗ୍ରେସ ସମେତ ଅଣବିଜେପି ଦଳଗୁଡ଼ିକ ସେହିଦିନକୁ ‘କଳାଦିନ’ ଭାବେ ପାଳିବେ । ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦ୍ୱରତ୍ୱ ବଜାୟ ରଖିବା କଥା କହୁଥିବା ବିଜେଡିର ଆଭିମୁଖ୍ୟ ଏହି ପ୍ରସଙ୍ଗରେ କ’ଣ ତାହା ଉପରେ ସମସ୍ତଙ୍କ ନଜର ରହିଛି ।


