ଭୁବନେଶ୍ୱର : ଏଣିକି ଗ୍ରାମାଞ୍ଚଳରେ ‘ଠିପି ଖୋଲା ’ମଦ ଦୋକାନ ଖୋଲିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଗ୍ରାମାଞ୍ଚଳରେ କୌଣସି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ୍ରେ ଯଦି ରହିବାର ସୁବିଧା ନଥିବ ସେଠାରେ ‘ଠିପି ଖୋଲା’ ମଦ ଦୋକାନ ଅବା ‘ବାର୍’ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ରାଜ୍ୟ ସରକାର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ରାଜ୍ୟ ଅବକାରୀ ବିଭାଗର ଅତିରିକ୍ତ ସଚିବ ପି.କେ.ପଣ୍ଡା ଏନେଇ ଅବକାରୀ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ,ସରକାର ସମସ୍ତ ଦିଗକୁ ବିଚାର କରିବା ପରେ ଗ୍ରାମାଞ୍ଚଳରେ ନୂଆ ଆଇଏମ୍ଏଫ୍ଏଲ୍ ‘ଠିପି ଖୋଲା’ ମଦ ଦୋକାନ ଖୋଲିବାର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏପରିକି କୌଣସି ରେଷ୍ଟୁରାଣ୍ଟ ଓ ହୋଟେଲ୍କୁ ମଧ୍ୟ ଏଭଳି ‘ଠିପି ଖୋଲା’ ମଦ ଦୋକାନ ନିମନ୍ତେ ଅନୁମତି ମିଳିବ ନାହିଁ । କେବଳ ଯେଉଁଠି ରାତ୍ରି ରହଣୀର ସୁବିଧା ଥିବ ସେଠାରେ ଏଭଳି ‘ଠିପି ଖୋଲା’ ମଦ ଦୋକାନ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ଗ୍ରାମାଞ୍ଚଳରେ ଠିପି ବନ୍ଦ ଦୋକାନକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।


