ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ବିଜୁ ଯୁବ ବାହିନୀ’ରେ ଏବେସୁଦ୍ଧା ୨ଲକ୍ଷ ୬୭ହଜାର ୮୭୬ଜଣ ସଦସ୍ୟ ପଞ୍ଜିକୃତ ହୋଇଛନ୍ତି । ସବୁଠୁ ଅଧିକ ସଦସ୍ୟ ୨୩,୮୨୧ଜଣ ବାଲେଶ୍ୱର ଜିଲ୍ଲାରେ ପଞ୍ଜିକୃତ ହୋଇଥିବାବେଳେ ସବୁଠୁ କମ୍ ୬୦୬ଜଣ ରାୟଗଡ଼ା ଜିଲ୍ଲାରେ ପଞ୍ଜିକୃତ ହୋଇଛନ୍ତି ।
କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଆଜି ବିଧାନସଭାରେ ବିଧାୟକ ଗୋଲକ ବିହାରୀ ନାଏକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ସରକାରଙ୍କ ଏକ ସୁଦୂରପ୍ରସାରୀ ଯୋଜନା ଯେଉଁଥିରେ ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଓ ଦୟିତ୍ୱବୋଧର ବୁଦ୍ଧି ସହ ସର୍ବସାଧାରଣଙ୍କ ହିତସାଧନ ନିମନ୍ତେ କାର୍ଯ୍ୟକ୍ରମମାନ ପ୍ରଣୟନ କରାଯାଉଛି । ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ କ୍ରୀଡ଼ାର ଆୟୋଜନ କରାଯାଇ ଏକ ସୁସ୍ଥ ବାତାବରଣ ପ୍ରତିଷ୍ଠା ନିମନ୍ତେ ଯୋଜନା କରାଯାଇଛି ।
ବିଜୁ ଯୁବ ବାହିନୀର ସଦସ୍ୟ ହେବା ପାଇଁ ୧୫ରୁ ୩୫ବର୍ଷ ମଧ୍ୟରେ ଯୁବକଯୁବତୀମାନେ ଅନ୍ଲାଇନ୍ରେ ଦରଖାସ୍ତ ପ୍ରଦାନ କରିଥିଲେ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମାର୍ଚ୍ଚ ୨୩ତାରିଖ ମଧ୍ୟରେ ମୋଟ ୨ଲକ୍ଷ ୬୭ହଜାର ୮୭୬ଜଣ ସଦସ୍ୟ ପଞ୍ଜିକୃତ ହୋଇଛନ୍ତି । ସେଥିରେ ଅନୁଗୁଳ ଜିଲ୍ଲାରେ ୮୫୩୨ଜଣ, ବାଲେଶ୍ୱର ଜିଲ୍ଲାରେ ୨୩୮୨୧ଜଣ, ବରଗଡ଼ରେ ୯୮୫୩ଜଣ, ଭଦ୍ରକରେ ୧୨୩୧୦ଜଣ, ବଲାଙ୍ଗିରରେ ୮୭୮୦, ବୌଦ୍ଧରେ ୧୧୪୧ଜଣ, କଟକରେ ୨୩୭୦୧ଜଣ, ଦେବଗଡ଼ରେ ୧୬୩୩ଜଣ, ଢେଙ୍କାନାଳରେ ୯୦୯୨ଜଣ, ଗଜପତିରେ ୫୮୦୮ଜଣ, ଗଞ୍ଜାମରେ ୨୨୭୦୪ଜଣ, ଜଗତସିଂହପୁରରେ ୮୧୬୯ଜଣ, ଯାଜପୁରରେ ୧୩୬୯୬ଜଣ, ଝାରସୁଗୁଡ଼ାରେ ୩୬୩୭ଜଣ, କଳାହାଣ୍ଡିରେ ୧୨୮୦୦ଜଣ, କନ୍ଧମାଳରେ ୧୬୪୬ଜଣ, କେନ୍ଦ୍ରାପଡ଼ାରେ ୧୩୮୮୫ଜଣ, କେନ୍ଦୁଝରରେ ୬୭୮୭ଜଣ, ଖୋର୍ଦ୍ଧାରେ ୮୮୭୦ଜଣ, କୋରାପୁଟରେ ୧୧୧୮୧ଜଣ, ମାଲକାନଗିରିରେ ୩୫୨୫ଜଣ, ନୟାଗଡ଼ରେ ୧୧୧୨୩ ଜଣ, ପୁରୀରେ ୧୧୬୨୧ଜଣ, ସମ୍ବଲପୁରରେ ୯୭୨୬ଜଣ ସଦସ୍ୟ ରହିଛନ୍ତି ।


