ଭୁବନେଶ୍ୱର : ଅତାବିରା ଓ ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ଅତାବିରା ଏନ୍ଏସିରେ ବିଜେଡି ସମସ୍ତ ୧୨ଟି ଆସନରେ ବିଜୟୀ ହୋଇଥିବାବେଳେ ହିନ୍ଦୋଳ ଏନ୍ଏସିରେ ୧୬ରୁ ୧୩ଟିରେ ବାଜିମାତ୍ କରିଛି । ହିନ୍ଦୋଳରେ ଗୋଟିଏ ୱାର୍ଡରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ୨ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଏପ୍ରିଲ ୩ତାରିଖରେ ଉଭୟ ଅତାବିରା ଓ ହିନ୍ଦୋଳ ଏନ୍ଏସିରେ ହୋଇଥିବା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି । ଅତାବିରାରେ ସମସ୍ତ ୧୨ଟି ୱାର୍ଡରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ଏହି ଏନ୍ଏସିରେ ବିଜେଡିକୁ ସର୍ବାଧିକ ୫୭୫୧ଟି ଭୋଟ୍ ମିଳିଥିବାବେଳେ ବିଜେପିକୁ ୨୪୯୭ଟି, କଂଗ୍ରେସକୁ ୧୨୦୧ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୨୧୩ଟି ଭୋଟ୍ ମିଳିଛି । ୨୦୧୩ ଏନ୍ଏସି ନିର୍ବାଚନରେ କଂଗ୍ରେସକୁ ୩୮ ପ୍ରତିଶତ ଭୋଟ୍ ମିଳିଥିବାବେଳେ ଏଥର ତାହା ୧୨ .୪୩ ପ୍ରତିଶତକୁ ଖସି ଆସିଛି । ତେବେ ବିଜେପିର ଭୋଟ୍ ହାର ୬%ରୁ ୨୫.୮୪%କୁ ବୃଦ୍ଧି ପାଇଛି । ବିଜେଡିର ଭୋଟ୍ ହାର ୫୯.୫୨ ପ୍ରତିଶତ ରହିଛି । ସେହିଭଳି ହିନ୍ଦୋଳ ଏନ୍ଏସିରେ ବିଜେଡି ପ୍ରାର୍ଥୀ ୧୩ଟି ୱାର୍ଡରେ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ସାହୁ ୧୬ନମ୍ବର ୱାର୍ଡରେ ଜିତିବାରେ ସକ୍ଷମ ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଇନାୟତ ଉଲ୍ଲାହ ଖାନ୍(ୱାର୍ଡ ନଂ-୩) ଓ ଶ୍ୟାମଘନ ଭୂତିଆ(ୱାର୍ଡ-୧୦)ରେ ବିଜୟୀ ହୋଇଛନ୍ତି । ଏହି ଏନ୍ଏସିରେ ବିଜେଡିକୁ ସର୍ବାଧିକ ୪୧୪୪ଟି ଭୋଟ୍ ମିଳିଥିବାବେଳେ ବିଜେପିକୁ ୨୫୬୬ଟି, କଂଗ୍ରେସକୁ ୨୧୯ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୧୧୩୪ଟି ଭୋଟ୍ ମିଳିଛି । ୨୦୧୩ ଏନ୍ଏସି ନିର୍ବାଚନରେ ହିନ୍ଦୋଳରେ ବିଜେପିକୁ ମାତ୍ର ୧୧ ପ୍ରତିଶତ ଭୋଟ୍ ମିଳିଥିବାବେଳେ ଚଳିତଥର ୩୧.୮୨ପ୍ରତିଶତ ଭୋଟ୍ ମିଳିଛି । ତେବେ କଂଗ୍ରେସ ପୂର୍ବଥର ୩୧ ପ୍ରତିଶତ ଭୋଟ୍ ପାଇଥିବାବେଳେ ଏଥର ମାତ୍ର ୨.୭୨ ପ୍ରତିଶତ ଭୋଟ୍ ପାଇଛି । ସ୍ୱାଧୀନ ପ୍ରାର୍ଥୀମାନେ ୧୪.୦୬% ପ୍ରତିଶତ ଭୋଟ୍ ଓ ବିଜେଡି ୫୧.୩୯ ପ୍ରତିଶତ ଭୋଟ୍ ପାଇଛନ୍ତି ।


