ଭୁବନେଶ୍ୱର(ଓଡ଼ିଶା ୱେୟାର):ଆଇଏଫଏସ୍ ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ଉ ପରେ ଯେତିକି ଆୟବର୍ହିଭୁତ ଅର୍ଥ ମିଳିଲାଣି ତାହା ଭିଜିଲାନ୍ସ ବିଭାଗର ଅଫିସରଙ୍କ ହୋସ୍ ଉଡ଼ାଇ ଦେଇଛି । ଆଇଏଫଏସ୍ ଶ୍ରୀ ପାଠକଙ୍କ କାର୍ଯ୍ୟକଳାପ ଯେତିକି ର୍ଦୁନୀତିଗ୍ରସ୍ତ ତାଙ୍କଠୁ ଢ଼େରଗୁଣ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି ତାଙ୍କ ପୁଅ ଆକାଶ ପାଠକ । ମୁମ୍ବାଇରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହିବା ନିମନ୍ତେ ଘରଭଡ଼ା ବାବଦରେ କୋଟିଏ ଟଙ୍କାରୁ ଅଧିକ ଦେଇଥିବାବେଳେ ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲରେ ୯୦ଲକ୍ଷରୁ ଅଧିକ ଟଙ୍କାର ବିଲ୍ ପୈଠ କରିଛନ୍ତି । କେବଳ ସେତିକି ନୁହେଁ ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଉଭୟ ଅଭୟ ଓ ତାଙ୍କ ପୁଅ ଆକାଶଙ୍କର ଜୀବନଶୈଳୀ ଓ ଜବତ ହେଉଥିବା ଆୟବର୍ହିଭୁତ ସମ୍ପତ୍ତି କୁ ଦେଖିଲେ ରାଜ୍ୟ ରାଜକୋଷକୁ କିଭଳି ଚଳୂ କରାଯାଇଛି ତାହା ଜଣାପଡ଼ୁଛି ।
କଟକସ୍ଥିତ ଭିଜିଲାନ୍ସ ଏସପି ଦେଇଥିବା ତଥ୍ୟ ଅନୁସାରେ, ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି । ଆଉ ଏଥିରୁ କେବଳ ୮.୪୦କୋଟି ଟଙ୍କା ଭୁବନେଶ୍ୱରରେ ଜମା ହୋଇଛି । ସବୁଠୁ ରୋଚକ କଥା ହେଉଛି, ଏହି ବିପୁଳ ପରିମାଣର ଟଙ୍କା ଜମା କରିବା ନିମନ୍ତେ ଶହୀଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମକୁ ଉପଯୋଗ କରାଯାଇଛି ।
ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍ , ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି । ସେ ମଧ୍ୟ ଭଡ଼ାରେ ବହୁ ମୂଲ୍ୟବାନ ଗାଡ଼ି ଆଣିଥିବା ଚଢ଼ଉବେଳେ ଜଣାପଡ଼ିଛି । ପୁଣେ ଘର ଯାଂଚବେଳେ ସେଠାରେ ଭଡ଼ାରେ ଆସିଥିବା ୨ଟି ମର୍ସିଡିଜ୍ କାର ମଧ୍ୟ ରହିଥିଲା । କାର ଭଡ଼ା ବାବଦରେ ସେ ୨୫ଲକ୍ଷ ଟଙ୍କା ଦେଇଥିବାର ଦସ୍ତାବିଜ ମଧ୍ୟ ମିଳିଛି । ସେହିପରି ବିଳାସପୂର୍ଣ୍ଣ ଫ୍ଲାଟ୍ ଓ ଫାର୍ମହାଉସ ଭଡ଼ାବାବଦରେ ୧କୋଟି ଟଙ୍କାରୁ ଅଧିକ ପୈଠ ହୋଇଥିବାବେଳେ ହୋଟେଲ ତାଜ ପ୍ୟାଲେସର ବିଲ୍ ୯୦ଲକ୍ଷ ଟଙ୍କା ଓ ରାଜସ୍ଥାନର ଉଦୟପୁରରେ ଥିବା ତାଜଲେକ୍ ପ୍ୟାଲେସରେ ଅଗ୍ରୀମ ଭଡ଼ା ବାବଦରେ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ଅଭୟ ଓ ତାଙ୍କ ସମ୍ପର୍କୀୟମାନଙ୍କ ଘର ଯାଂଚବେଳେ ନଗଦ ୬୦ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍ଟ୍ରାନିକ୍ସ ସାମଗ୍ରୀ ମିଳିଛି । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିଥିବାବେଳେ ୨୩ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ଦସ୍ତାବିଜ ବି ମିଳିଛି ।
ପୁଣେ,ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଆଦି ସହରରରୁ ମାଲେସିଆ,ହଂକଂ, ୟୁକେ,ୟୁଏଇ ଓ ମାଳଦୀପ ଆଦି ଦେଶକୁ ଚାଟାର୍ଡ ଫ୍ଲାଇଟରେ ଯିବା ନିମନ୍ତେ ୩କୋଟି ଟଙ୍କାରୁ ଅଧିକ ଭଡ଼ା ମଧ୍ୟ ପୈଠ ହୋଇଛି ।
ଭିଜିଲାନ୍ସ ଏସପିଙ୍କ କହିବାନୁସାରେ, ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆୟବର୍ହିଭୁତ ସମ୍ପତ୍ତି ଯାଂଚ ନିମନ୍ତେ ଭିଜିଲାନ୍ସ ପକ୍ଷରୁ ୧୩ଟି ଜାଗାରେ ଚଢ଼ଉ କରାଯାଇଥିଲା । ସେଥିରେ ତାଙ୍କର ସରକାରୀ ବାସଭବନ, ଅଫିସ, ଭୁବନେଶ୍ୱରରେ ଥିବା ଫ୍ଲାଟ୍, ବିପୁଳ ଗାର୍ଡେନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଫ୍ଲାଟ୍ ଓ ପିପିଲିରେ ଥିବା ଡ୍ରାଇଭରର ଘର, ତାଙ୍କ ପୈତୃକ ଘର ବିହାରର ଖଗରିଆ ଜିଲ୍ଲାର ବିଷ୍ଣୁପୁର ସମେତ ପୁଣେରେ ଥିବା ୨ଟି ବିଳାସମୟ ଫ୍ଲାଟ୍ , ଆକାଶଙ୍କ ନାଁରେ ଭଡ଼ାରେ ଥିବା ପୁଣେର ଭୁଗାଁଓର ହିଲଟାଉନ୍ ଅଂଚଳରେ ଥିବା ଫାର୍ମ ହାଉସ , ଆକାଶର ମ୍ୟାନେଜରର ପୁଣେସ୍ଥିତ ଘର, ମୁମ୍ବାଇର ଜୁହୁ ଓ ମୁଲୁନ୍ଦରେ ଥିବା ପୁଅର ସାଙ୍ଗର ରେଷ୍ଟୁରାଣ୍ଟରେ ଚଢ଼ଉ ହୋଇଥିଲା । ଏବେବି ଭୁବନେଶ୍ୱର, ମୁମ୍ବାଇ, ପୁଣେ ଓ ଉଦୟପୁରରେ ଚଢ଼ଉ ଜାରି ରହିଛି । ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ ଅଫିସ, ସାଇବର ସେଲ୍ ଅଫିସର ଓ ଡକ୍ୟୁମେଣ୍ଟ ଯାଂଚ ଅଧିକାରୀମାନେ ମିଳିତ ଭାବେ ଏହି ଚଢ଼ଉରେ ସାମିଲ ହୋଇଛନ୍ତି ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।
ଭିଜିଲାନ୍ସ ଏବେ ଅଭୟକାନ୍ତ, ତାଙ୍କ ପୁଅ ଆକାଶ, ପୁତୁରା ଓ ଡ୍ରାଇଭରକୁ ଅଟକ ରଖି ଜେରା କରୁଛି । ତେବେ ଏତେ ପରିମାଣର ଅର୍ଥ ସେ କିଭଳି ଉପାର୍ଜନ କଲେ ତା’ର ଟେର ଭିଜିଲାନ୍ସ ଏପର୍ଯ୍ୟନ୍ତ ପାଇନଥିବା ଜଣାପଡ଼ିଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...