ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ସକାଳ ୧୦ଟା ୩୦ରେ ଏହି ଆବେଦନର ତ୍ବରତି ଶୁଣାଇ ପାଇଁ ତାଙ୍କର ଓକିଲ ଦାବି କରିଛନ୍ତି । ତେବେ ଇଡି ଗିରଫଦାରୀ ଓ ରିମାଣ୍ଡ ବିରୋଧରେ କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିବା ବେଳେ ଗତକାଲି (ମଙ୍ଗଳବାର) କୋର୍ଟ ଏହାକୁ ବୈଧ ଦର୍ଶାଇ ତାଙ୍କର ଆବେଦନ ଖାରଜ କରିଦେଇଥିଲେ । ଗତକାଲି ହାଇକୋର୍ଟରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଥିଲା ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଷଡ଼୍ଯନ୍ତ୍ର କରିଥିଲେ ଏବଂ ପୂରା ମାମଲାରେ ମୁଖ୍ୟ ସେ ସଂଚାଳକ ଥିଲେ। ଏହି ଅପରାଧରୁ ମିଳିଥିବା ଅର୍ଥକୁ ମଧ୍ୟ ସେ ବ୍ୟବହାର କରିବାରେ ସାମିଲ ଥିବା ନେଇ ବଳିଷ୍ଠ ପ୍ରମାଣ ହାସଲ ହୋଇଥିବାରୁ ଇଡି କେଜ୍ରିୱାଲଙ୍କୁ ମାମଲାର ‘କିଙ୍ଗ୍ପିନ୍’ ବୋଲି କହିଥିଲା। କେଜ୍ରିୱାଲ ନୂତନ ଅବକାରୀ ନୀତି ପ୍ରଣୟନ ଓ ଲାଞ୍ଚ ମାଗିବା ଘଟଣାରେ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ଥିଲେ । ଆପ୍ ରାଷ୍ଟ୍ରୀୟ ସଂଯୋଜକ ଭାବେ ସେ ଏହି ଦୁର୍ନୀତିରେ ସକ୍ରିୟ ରୂପେ ଜଡ଼ିତ ଥିଲେ ।
ରାୟ ପ୍ରଦାନ ବେଳେ ଜଷ୍ଟିସ ସ୍ବରନକାନ୍ତ ଶର୍ମା କହିଥିଲେ ଯେ, କେଜ୍ରିୱାଲଙ୍କ ରିମାଣ୍ଡକୁ ଅବୈଧ କୁହାଯାଇ ପାରିବ ନାହିଁ । ତାଙ୍କର ଗିରଫଦାରୀ ସମ୍ପୂର୍ଣ୍ଣ ବୈଧ ଅଟେ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପରେ ଆପ୍ ନେତା ସୌରଭ ଭରଦ୍ବାଜ କହିଥିଲେ, ହାଇକୋର୍ଟଙ୍କ ଏହି ରାୟରେ ଆମ ସହମତ ନାହୁଁ ଏବଂ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ ।


