ଭୁବନେଶ୍ଵର/ପାରାଦୀପ:ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କୁ ପାରାଦୀପରେ ଯାଇ ନେତାଗିରି କରିବା ମହଙ୍ଗା ପଡ଼ିଛି। ଏହାସହିତ ପାରାଦୀପରୁ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହୋଇପାରନ୍ତି ହେଉଥିବା ଚର୍ଚ୍ଚାରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଦୁଇ ଦିନ ପୂର୍ବରୁ ପାରାଦୀପ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଦମ୍ଭୋକ୍ତି ବାଢ଼ିବା ବିଷ୍ଣୁ ନିଜର ମତ ବଦଳାଇଛନ୍ତି। ଦଳ ଓ ନେତା ଚାହିଁଲେ ସେ ପାରାଦୀପରୁ ପ୍ରାର୍ଥୀ ହେଵେ ବୋଲି କହିଥିବା ବିଷ୍ଣୁ ପାରାଦୀପରେ ସେ ପ୍ରାର୍ଥୀ ହେବେନି ବୋଲି ସ୍ପଷ୍ଟ କରିଛନ୍ତି। ଦଳର ସଭାପତି ଯାହାକୁ ଚାହିଁବେ ସେ ସେଠାରେ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ସହିତ ପାରାଦୀପ ଗସ୍ତରେ ଯାଇ ଦଳୀୟ କାର୍ଯ୍ଯର ସମୀକ୍ଷା କରିବାକୁ ନେଇ ତାଙ୍କ ଉପରେ ଦଳର ସୁପ୍ରିମୋଙ୍କ କ୍ଷୁବ୍ଧ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ଡାକ୍ତର ଦାମୋଦର ରାଉତ ଦଳରୁ ବହିଷ୍କାର ହେବାପରେ ବିଷ୍ଣୁ ଦାସ ପ୍ରଥମ ଥର ପାଇଁ ପାରାଦୀପକୁ ସରକାରୀ ଗସ୍ତରେ ଯାଇ ଦଳୀୟ ସଂଗଠନର ସମୀକ୍ଷା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏହି ସମୀକ୍ଷା ବୈଠକରେ ଦାମଙ୍କ ସମର୍ଥକ ଥିବା କର୍ମୀମାନେ ପୂର୍ବରୁ ବିଷ୍ଣୁଙ୍କୁ ବିରୋଧ କରୁଥିବାରୁ ଏବେ ଦାମ ରାଉତଙ୍କ ସହ ନଥିଲେ ମଧ୍ୟ ବୈଠକରେ ସାମିଲ ହେବାର ସମ୍ଭାବନା ନଥିବାରୁ ତାକୁ ନେଇ ପାରାଦୀପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ଥିତିକୁ ପରଖି ନବୀନ ନିବାସରୁ ଏଭଳି ସମୀକ୍ଷାରୁ ଦୂରେଇ ରହିବାକୁ ବିଷ୍ଣୁଙ୍କୁ ତାଗିଦ କରାଯାଇଥିଲା। ଯାହାଫଳରେ ବିଷ୍ଣୁଙ୍କୁ ନିଜର ମତ ବଦଳାଇବାକୁ ପଡ଼ିଥିଲା ବୋଲି ଚର୍ଚ୍ଚା।
ଉଲ୍ଲେଖଯୋଗ୍ୟ, ଦାମ ବିଜେଡ଼ିରୁ ବିଦା ହେବା ପରେ ଦେବାଶିଷ ପାରାଦୀପରୁ ଲଢ଼ିପାରନ୍ତି । କିନ୍ତୁ ଦେବାଶିଷ କହିଛନ୍ତି ଯେ, ସେ ବାରବାଟୀ-କଟକର ବିଧାୟକ ଅଛନ୍ତି। ୨୦୧୯ରେ ଏଠାରୁ ହିଁ ସେ ପ୍ରାର୍ଥୀ ହେବେ।ପାରାଦୀପରୁ ସେ ଲଢ଼ିବେ ନାହିଁ ବୋଲି କହିଛନ୍ତି। ବିଷ୍ଣୁ ଓ ଦେବାଶିଷଙ୍କ ଏଭଳି ସ୍ବର ପରିବର୍ତ୍ତନ ପରେ ପାରାଦୀପରୁ କିଏ ନିର୍ବାଚନ ଲଢ଼ିବେ ତାକୁ ନେଇ ପ୍ରଶ୍ନ ଉଠିଛି। ପାରାଦୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟ ପ୍ରାର୍ଥୀ ହେବେ ନା ବାପାଙ୍କ ସମର୍ଥନରେ ଦଳ ବିରୋଧୀ କାର୍ଯ୍ୟ କରି କାର୍ଯ୍ୟାନୁଷ୍ଠାନର ଶିକାର ହେବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ହିଁ ପାରାଦୀପର ପ୍ରାର୍ଥୀତ୍ବ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି।


