ଭୁବନେଶ୍ୱର(ଓଡ଼ିଶା ୱେୟାର): ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ରାଜରାସ୍ତାରେ ସର୍ବସମ୍ମୁଖରେ ଉଠବସ୍ କରାଇବା ଘଟଣାକୁ ୧୪ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ବିଧାୟକଙ୍କୁ ଗିରଫ କରାନଯିବା ପ୍ରସଙ୍ଗରେ ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀବିରୋଧୀ ବୋଲି କହି ଟାର୍ଗେଟ୍ କରିଛି।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଧାୟକ ଶ୍ରୀ ମେହର ନିଜେ ସରକାରୀ ଜେଇ ଜୟକାନ୍ତ ଶବରଙ୍କୁ ଉଠବସ କରାଇଥିବା କଥା ମାନିସାରିଛନ୍ତି। ଏଥି ସହ ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ନିଜେ ତାଙ୍କ ରିପୋର୍ଟରେ ବିଧାୟକ ଦୋଷ କରିଛନ୍ତି ବୋଲି ଲେଖିଛନ୍ତି। ଏହା ସତ୍ତେ୍ୱ ବିଧାୟକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଘଟଣାକୁ ୧୪ ଦିନ ବିତିଥିଲେ ବି ପୁଲିସ୍ କାହିଁକି ଚୁପ୍ ବସିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇ ଏ ଘଟଣାକୁ ଗୁରୁତର ଭାବେ ନନେଇ ନବନିର୍ବାଚିତ ବିଧାୟକଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଆଇନ ତା’ ବାଟରେ ଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ନିଜ ଦଳର ନବନିର୍ବାଚିତ ବିଧାୟକଙ୍କ ଦୋଷ ଘୋଡ଼ାଇ କାହିଁକି ଚୁପ ବସିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆଦିବାସୀବିରୋଧୀ। ପୂର୍ବରୁ ଶାସକ ଦଳର ଅନେକ ନେତା ଆଦିବାସୀ, ଦଳିତ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିବା ପରେ ଆଇନକୁ ବାଟବଣା କରିଛନ୍ତି । ଆଦିବାସୀ ଏବଂ ପଛୁଆ ବର୍ଗର ଲୋକମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ କ’ଣ ରାଜ୍ୟରେ କୌଣସି ଆଇନ ଲାଗୁ ହେଉନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶାସକ ଦଳର ବିଧାୟକ ସରକାରୀ ଅଫିସରଙ୍କୁ ଅସମ୍ମାନ କରିବା ପରେ ବି ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ଏବଂ ପୁଲିସ୍ ପ୍ରଶାସନ ଚୁପ ରହିଛି। ସମୟ ଗଡ଼ାଇ ବିଧାୟକଙ୍କୁ ବେଲ୍ କରାଇ ଖସାଇଦେବା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ସରୋଜ ମେହେରଙ୍କୁ ଆଇପିସି ଗିରଫ କରାଯାଉ। ବିଧାୟକ ନିଜେ ଅପରାଧ ସ୍ୱୀକାର କରିଥିବାବେଳେ ପୁଲିସ ତୁରନ୍ତ ଆଇପିସିର ବିଭିନ୍ନ ଧାରା ଅନୁସାରେ ତାଙ୍କୁ ଗିରଫ କରୁ ବୋଲି ବିଜେପି ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।


