ଭୁବନେଶ୍ୱର : ଇଣ୍ଡଷ୍ଟ୍ରି ଭାଗିଦାରୀ ଭାବେ ସିଆଇଆଇ ସହ ସମ୍ପର୍କ ଛିନ୍ନ କରିବା ପରେ ଓଡ଼ିଶା ସରକାର ଏବେ ଫିକ୍କି(ଫେଡେରେସନ୍ ଅଫ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି)କୁ ଆଗାମୀ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଓ ନିଜର ପୁଞ୍ଜିନିବେଶ ପ୍ରୋତ୍ସାହନ ଗତିବିଧି ପାଇଁ ଇଣ୍ଡଷ୍ଟ୍ରି ସହଯୋଗୀ ଭାବେ ମନୋନୀତ କରିଛନ୍ତି । ଦେଶର ସବୁଠୁ ପୁରୁଣା ବ୍ୟବସାୟିକ ସଂଗଠନ ଫିକ୍କି ୧୯୨୭ ମସିହାରେ ସ୍ଥାପନ ହୋଇଥିଲା । ଜୁନ୍ ୮ ତାରିଖରେ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସିଆଇଆଇ(ଭାରତୀୟ ଶିଳ୍ପ ମହାସଂଘ)କୁ ଦାୟିତ୍ୱମୁକ୍ତ କରାଯାଇଥିଲା ।
ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ ଫିକ୍କି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିଶଦ ଆଲୋଚନା ପରେ ସମ୍ପୃକ୍ତ ବ୍ୟବସାୟିକ ସଂଘ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଓଡ଼ିଶା କନକ୍ଲେଭରେ ସହଯୋଗୀ ହେବାକୁ ସମ୍ମତି ଜଣାଇଛି । ପ୍ରତି ୨ବର୍ଷରେ ହେଉଥିବା ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଭୁବନେଶ୍ୱରରେ ନଭେମ୍ବର ୧୧ରୁ ୧୫ତାରିଖ ମଧ୍ୟରେ ହେବ । ଶିଳ୍ପ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କୁ ଦେଶବିଦେଶରେ ବିଭିନ୍ନ ପୁଞ୍ଜିନିବେଶ ପ୍ରୋତ୍ସାହନ ଗତିବିଧିରେ ଫିକ୍କି ସହଯୋଗ କରିବ । ଆସନ୍ତା ନଭେମ୍ବର ମାସରେ ବୃହତ୍ କର୍ପୋରେଟ ହାଉସ୍ ଯେଭଳି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବେ ତାହା ମଧ୍ୟ ଫିକ୍କି ସୁନିଶ୍ଚିତ କରାଇବ । ସୂଚନାଯୋଗ୍ୟ, ପୂର୍ବ କାର୍ଯ୍ୟକ୍ରମ ଯୋଗୁ ସିଆଇଆଇ ପକ୍ଷରୁ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ମନା କରାଯିବା ପରେ ରାଜ୍ୟ ସରକାର ଓ ସିଆଇଆଇ ମଧ୍ୟରେ ବିବାଦ ଉପୁଜି ଥିଲା । ଏପରିକି ସିଆଇଆଇ ପୂର୍ବାଂଚଳ ଜୋନ୍ ଅଧ୍ୟକ୍ଷା ଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡାଙ୍କୁ ନିର୍ବାଚିତ ହେବା ପରେ ସିଆଇଆଇ ଏଭଳି ପଦକ୍ଷେପ ନେଇଛି ବୋଲି ରାଜ୍ୟର କ୍ଷମତାସୀନ ବିଜେଡି ଅଭିଯୋଗ କରିଥିଲା ।


