ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏପର୍ଯ୍ୟନ୍ତ ବିଜେଡି କୌଣସି ଆଲୋଚନା କରିନି କି କେହି ମଧ୍ୟ ବିଜେଡିକୁ ପ୍ରସ୍ତାବ ଦେଇନାହାନ୍ତି ବୋଲି ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ, ଏସବୁ ପ୍ଲାଂଟେଡ୍ ନ୍ୟୁଜ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ । ବିଜେଡି ସହ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ଗଣମାଧ୍ୟମ ନିଶ୍ଚିତ ଜାଣିଥାନ୍ତା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇନି । ଆଗ ବିଜ୍ଞପ୍ତି ପ୍ରକାଶ ପାଉ, ତା’ପରେ ଦଳ ନିଷ୍ପତି ନେବ । ଏହି ପ୍ରସଙ୍ଗରେ କୌଣସି ଦଳ କିମ୍ବା ସଂଗଠନ ବିଜେଡି ସହ ଯୋଗାଯୋଗରେ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ସେହିପରି ଦଳର ଅନ୍ୟତମ ସାଂସଦ ତଥାଗତ ସତପଥୀ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉଭୟ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଓ ବିଜେପି ନେତୃତ୍ୱାଧୀନ ଏନ୍ଡିଏଠାରୁ ସମାନ ଦୂରତ୍ୱ ବଜାୟ ରଖିବା ନୀତିରେ ବିଜେଡି କାଏମ ଅଛି ତଥା ଉଭୟ ଦଳର କୌଣସି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନାହିଁ । ତେବେ ଚୂଡ଼ାନ୍ତ ନିଷ୍ପତି ବିଜେଡି ନେତୃତ୍ୱ ନେବେ । ସୂଚନାଯୋଗ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ହୋଇଥିବାବେଳେ ବିଜେଡିର ୯ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି ।


