ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା କଥାକୁ ଅନେକ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି,“ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଜେପି-ବିଜେଡି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇ ନାହିଁ। ଏହା ଏକ ଖୋଲା ବୁଝାମଣା। ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଅଶ୍ୱୀନଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ତେଣୁ ଏହା ଗୁପ୍ତ ବୁଝାମଣା ନୁହେଁ, ଖୋଲା ବୁଝାମଣା। ଏହି ବୁଝାମଣା ପଛରେ ବିକାଶ ହିଁ ପ୍ରମୁଖ କାରଣ। ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ।” ଏନେଇ ବିଜେପି କ୍ଷତିରେ ରହିବ କି ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି,“ ସମୟ କହିବ, କାହାର ଲାଭ ଓ କ୍ଷତି ହେବ। ଏହା ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରୁନି, କିଛି ବନ୍ଧୁଙ୍କ ମନରେ ଉଦ୍ବେଳନ ହେଉଛି।”


