ଭୁବନେଶ୍ୱର : ଚିିଲିକା ହ୍ରଦ ଉପରେ ବେଆଇନ ହେଲିକପ୍ଟର ଉଡ଼ାଇବା ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ପୁଲିସ୍ ହାଜର ହେବାକୁ ନୋଟିସ୍ ପଠାଇଛି । ବିମାନ ବନ୍ଦର କର୍ତୃପକ୍ଷଙ୍କଠୁ ମିଳିଥିବା ପ୍ରାଥମିକ ରିପୋର୍ଟ ଆଧାରରେ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ସିଲ୍ କରାଯାଇଥିବାବେଳେ ତାଙ୍କୁ ଓ ତାଙ୍କ ସହ ହେଲିକପ୍ଟରରେ ଯାତ୍ରା କରିଥିବା ଦୁଇ ସହଯୋଗୀଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି ବୋଲି ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ।
ଏପଟେ ବୈଜୟନ୍ତଙ୍କ ହେଲିକପ୍ଟର ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହେବା ସହ ବିଜେଡି ବିଧାୟକମାନେ ତାଙ୍କର ଗିରଫ ଦାବି କରି ଗାନ୍ଧି ମୂର୍ତି ତଳେ ଧାରଣା ଦେଇଥିଲେ । ସନ୍ଧ୍ୟାରେ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ମଧ୍ୟ ମାଷ୍ଟରକ୍ୟାଂଟିନ୍ ଛକ ନିକଟରେ ଧାରଣା ଦିଆଯାଇ ଶ୍ରୀ ପଣ୍ଡାଙ୍କ ଗିରଫ ଦାବି କରାଯାଇଛି ।
ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ କହିବା ଅନୁସାରେ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ ବିମାନ ବନ୍ଦର ପ୍ରାଧିକରଣ କର୍ତୃପକ୍ଷଙ୍କଠୁ ତଥ୍ୟ ମାଗିଥିଲା । ୧୫ତାରିଖ ସକାଳ ସାଢ଼େ ୮ଟାରୁ ସାଢ଼େ ୧ଟା ମଧ୍ୟରେ କେବଳ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟରକୁ ଚିଲିକା ଦେଇ ଯିବା ପାଇଁ ଅନୁମତି ମିଳିଥିଲା । ତେବେ ସେ କେଉଁଠି ଅବତରଣ କରିଥିଲେ ଓ ସ୍ଥଳଭାଗଠୁ କେତେ ଉପରେ ତାଙ୍କ ହେଲିକପ୍ଟର ଉଡୁଥିଲା ତା’ର ସୂଚନା ମିଳିବାରେ ବିଳମ୍ବ ହେବ ବୋଲି ଜାଣିବା ପରେ ପୁଲିସ ହେଲିକପ୍ଟର ଓ ହ୍ୟାଙ୍ଗରକୁ ସିଜ୍ କରିଛି । ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡ଼ୁଥିଲା ତାହା ବିମାନର ବ୍ଲାକ ବକ୍ସରୁ ଜଣାପଡ଼ିବ । ସେହି ତଥ୍ୟ ବିମାନ ବନ୍ଦର କର୍ତୃପକ୍ଷଙ୍କଠୁ ଅପେକ୍ଷା କରାଯାଇଛି । ଶ୍ରୀ ପଣ୍ଡାଙ୍କ ସମେତ ତାଙ୍କ ସହ ହେଲିକପ୍ଟରରେ ଥିବା ସହଯାତ୍ରୀ ଅଭିଜିତ୍ ଆୟାର ମିତ୍ର ଓ ଆରତୀ ଟିକୋଙ୍କୁ ମଧ୍ୟ ପୁଲିସ ନୋଟିସ ପଠାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ବିମାନ ବନ୍ଦର ଅଧିକାରୀ ଏସ.ସି. ହୋତା କହିଛନ୍ତି ଯେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ପାଇଁ ଅନୁମତି ନେଇ ସକାଳ ୮ଟା ୪୬ମିନିଟରୁ ବାହାରି ୧ଟା ୨୬ମିନିଟ୍ରେ ଫେରି ଆସିଥିଲା । ଭୁବନେଶ୍ୱରରୁ ରାଜହଂସ, ପୁରୀ, କୋଣାର୍କ ଦେଇ କେନ୍ଦ୍ରାପଡ଼ାର ଗରଦପୁର, ଜଗନ୍ନାଥପୁରରେ ପହଂଚି ସେଠାରୁ ଭୁବନେଶ୍ୱର ଫେରିଥିଲା ।
ତେବେ ଏସବୁ ପ୍ରସଙ୍ଗକୁ ଶ୍ରୀ ପଣ୍ଡା ଖାରଜ କରିଥିବାବେଳେ ଟ୍ୱିଟ୍ ଯୋଗେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ,ପ୍ରଥମେ କୁହାଗଲା ସି-ପ୍ଲେନ, ୪୮ଘଂଟା ପରେ ଏହା ହେଲିକପ୍ଟର ହୋଇଗଲା । ଯାହାକି ଚିଲିକା ହ୍ରଦର ‘ନୋ-ଫ୍ଲାଇଂ ଜୋନ୍’ରେ ଦିନ ସାଢ଼େ ୧ଟାରେ ଅବତରଣ କଲା । ଅପେକ୍ଷା କରାଯାଉ । ଏଟିସି ରେକର୍ଡରେ ସେତେବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ହେଲିକପ୍ଟରଟି ରହିଥିଲା । ତେବେ ସେ ଯାହାହେଉ, ଚିଲିକା ହ୍ରଦ ‘ନୋ ଫ୍ଲାଇଂ ଜୋନ୍’ରେ ନାହିଁ । ଆହୁରି ମଧ୍ୟ ମୁଖିଆ ବି ସେଠାକୁ ଉଡ଼ାଣ କରିଛନ୍ତି । ତେଣୁ ଆଉ କେତେ ମିଛ କହିବେ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।


