ଭୁବନେଶ୍ୱର : ହରିଆଣା ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ । ଆଜି ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଆଜି ଜାରି ହୋଇଛି । ଏବେ ବିହାର ରାଜ୍ୟପାଳ ସତ୍ୟ ପାଲ ମଲିକ ଓଡ଼ିଶା ଦାୟିତ୍ୱରେ ରହିଛନ୍ତି । ଯେଉଁଦିନ ପ୍ରଫେସର ଲାଲ ଦାୟିତ୍ୱ ନେବେ ସେହିଦିନଠୁ ୫ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ହେବ ବୋଲି ଜଣାପଡ଼ିଛି । ସୋମବାର ସେ ୪୬ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ୧୯୪୨ ମାର୍ଚ୍ଚ ୧ ତାରିଖରେ ଜନ୍ମିତ ପ୍ରଫେସର ଲାଲ ଏବେ ହରିଆଣା ବିଜେପି ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଫେସର ଲାଲ ହରିଆଣାର ସିରସା, ମୁଣ୍ଡେଲ ଆଦି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏବେ ନିକଟରେ ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଭାବେ ଦୃଢ଼ ଦାବିଦାର ଥିଲେ । କିନ୍ତୁ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ନଥିଲା । ଆଜି ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ସେ ବିଜେପି ସଂଗଠନ ସହ ଦୀର୍ଘବର୍ଷ ଧରି ଜଡ଼ିତ ରହିଛନ୍ତି । ସୂଚନାଯୋଗ୍ୟ ଡଃ ଏସ୍.ସି.ଜମିରଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୧ତାରିଖରେ ଶେଷ ହେବା ପରେ ବିହାର ରାଜ୍ୟପାଳ ଶ୍ରୀ ମଲିକ ଅସ୍ଥାୟୀ ଭାବେ ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ ।


