ପାରାଦୀପ : ମହାନଦୀ ଏବେ ଓଡ଼ିଶା ଲୋକଙ୍କ ଆନ୍ଦୋଳନ ପାଲଟିଯାଇଛି । ଏହା ଆଉ ରାଜନୀତିକ ପ୍ରସଙ୍ଗ ହୋଇ ରହିନାହିଁ । ବିଜେଡି କେବଳ ପାଣି ନୁହେଁ ମହାନଦୀକୁ ଜୀବନ୍ତ ରଖିବାକୁ ଲଢ଼େଇ କରୁଛି । ଆମ ଜୀବନ,ଜୀବିକା ଉପରେ ଆକ୍ରମଣର ଉଚିତ୍ ଜବାବ ଦିଆଯିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ପାରାଦୀପ ବାଲିଯାତ୍ରା ପଡ଼ିଆରେ ମହାନଦୀର ଦ୍ୱିତୀୟ ପର୍ଯ୍ୟାୟ ସଂଗ୍ରାମର ୧୦ଦିନିଆ ଜନଜାଗରଣ ଯାତ୍ରାର ଉଦଯାପନ ଉତ୍ସବରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍ ହୋଇ ବସି ରହିଛନ୍ତି । ଏଠାକୁ ଆସି କେନ୍ଦ୍ରମନ୍ତ୍ରୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ ମହାନଦୀରେ ଛତିଶଗଡ଼ର କାର୍ଯ୍ୟକୁ ବନ୍ଦ କରାଇ ପାରିବେ କି ବୋଲି ନବୀନ କଟାକ୍ଷ କରିଛନ୍ତି । ଏହି ଅବସରରେ ଦଳର ବରିଷ୍ଠ ନେତାମାନେ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ ବିଜେଡିର ମହାନଦୀ ପାଇଁ ଜନଜାଗରଣ ସୁରକ୍ଷା ଅଭିଯାନ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ମଇ ୧୬ ତାରିଖରେ ମହାନଦୀ ଦକ୍ଷିଣପାଶ୍ୱର୍ସ୍ଥିତ ଚିଖିଲି ଓ ବାମପାଶ୍ୱର୍ସ୍ଥିତ ସୁଖାଶୋଡ଼ାରୁ ଉଦଘାଟନ କରିଥିଲେ । ଏହି ୧୦ଦିନିଆ ଜନଜାଗରଣ ଯାତ୍ରାର ସମାପନ ଆଜି ପାରାଦୀପରେ ହୋଇଛି । ପ୍ରାୟ ୧୮ଶହ କିମି ଧରି ବିଜେଡିର ଏହି ଜନସଚେତନତା ଯାତ୍ରା ହୋଇଥିଲା ।


