ନୂଆଦିଲ୍ଲୀ:କେନ୍ଦ୍ର ସରକାର ଆଜି ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।ଏହା ଚଳିତ ଅକ୍ଟୋବର ମାସରୁ କାର୍ଯ୍ୟକାରୀ ହେବ ଓ ଆସନ୍ତା ମାସରୁ ଏହି ବର୍ଦ୍ଧିତ ଗସ୍ତ ଖର୍ଚ୍ଚ ଆଶାକର୍ମୀଙ୍କୁ ମିଳିବ।ପ୍ରାୟ ୪୧,୪୦୫ ଆଶା ସହାୟିକା ଉପକୃତ ହେବେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି(ସିସିଇଏ) ଉପରୋକ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।ଆଶା ସହାୟିକା ମାସିକ ପାଖାପାଖି ୨୦ଟି ପର୍ଯ୍ୟବେକ୍ଷଣ ଗସ୍ତ କରିଥାନ୍ତି।ଗସ୍ତ ଖର୍ଚ୍ଚରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନେ ମାସିକ ୬ ହଜାର ଟଙ୍କା ପାଇପାରିବେ।ପୂର୍ବରୁ ସେମାନେ ୫ ହଜାର ଟଙ୍କା ପାଉଥିବା ବେଳେ ଏବେ ଏଥିରେ ୧ ହଜାର ଟଙ୍କାର ବୃଦ୍ଧି ଘଟିଛି।
ଆଶା ଲାଭ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି।ଗସ୍ତ ଖର୍ଚ୍ଚରେ ଏହି ବୃଦ୍ଧି ଫଳରେ ଆଶା ସହାୟିକାମାନେ ମାସିକ ୬୦୦୦ ଟଙ୍କା ପାଇପାରିବେ ପୂର୍ବରୁ ସେମାନେ ମାସିକ ୫ ହଜାର ଟଙ୍କା ପାଉଥିଲେ ଏବେ ସେଥିରେ ୧୦୦୦ ଟଙ୍କା ବୃଦ୍ଧି ହୋଇଛି।
ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ବର୍ତମାନର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ସଂସ୍ଥାଗତ ମେକାନିଜମ ଉପଯୋଗ କରାଯିବ।ଏହି ପ୍ରସ୍ତାବିତ ବୃଦ୍ଧି ଲାଗି କେନ୍ଦ୍ରୀୟ ଅଂଶଧନ ସ୍ୱରୂପ ଅତିରିକ୍ତ ୪୬.୯୫ କୋଟି ଟଙ୍କାର ରାଜସ୍ୱ ବ୍ୟୟ କରାଯିବ।୨୦୧୮-୧୯ ବର୍ଷ ଲାଗି (ପ୍ରଥମ ୬ ମାସରେ) ୧୫.୬୫ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୩୧.୩୦କୋଟି ଟଙ୍କା ଖର୍ଚ୍ଚ ହେବ।


