ଯାଜପୁର, (ଓଡ଼ିଶା ୱେୟାର) : ଯାଜପୁର ଜିଲ୍ଲାର ଦଶମ ଶ୍ରେଣୀ ସମେଟିଭ ଅାସେସମେଣ୍ଟ ପରୀକ୍ଷା ସମୟରେ ହଲରେ ମୋବାଇଲ୍ ଫୋନ୍ ବ୍ଯବହାର କରୁଥିବା ଅଭିଯୋଗରେ ଦୁଇଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଦୁଇଟି ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ରରେ ଡୁ୍ଟିରେ ଥିବା ଏହି ଦୁଇ ଶିକ୍ଷକଙ୍କୁ ଗୁରୁବାର ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ ଗିରିଙ୍କ ଯାଞ୍ଚ ସମୟରେ ମୋବାଇଲ୍ ବ୍ଯବହାର କରୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀ ଗିରି କହିଛନ୍ତି।
ଅଧିକାରୀ କହିଛନ୍ତି ଯେ ଦୁଇଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ତଥା ଡେପୁଟି ସୁପରିଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯାଇଛି।
ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁଯାୟୀ, କେନ୍ଦ୍ର ଅଧୀକ୍ଷକଙ୍କ ବ୍ଯତୀତ ଅନ୍ଯ କେହି ମୋବାଇଲ୍ ଫୋନ୍ ପରୀକ୍ଷା ହଲକୁ ନେଇପାରିବେ ନାହିଁ ବୋଲି ଶ୍ରୀ ଗିରି କହିଛନ୍ତି। ଶିକ୍ଷକ ଏବଂ ଅନ୍ଯମାନେ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ମୋବାଇଲ୍ ଫୋନଗୁଡ଼ିକୁ ସେଣ୍ଟର୍ ଇନ୍-ଚାର୍ଜକୁ ହସ୍ତାନ୍ତର କରିବା ଆବଶ୍ଯକ।


