ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡପିଛା ଅଣ୍ଡା ଚାହିଦା କମିବାରେ ଲାଗିଥିବାବେଳେ ମାଂସ ଓ କ୍ଷୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।
ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୨-୧୩ ଆର୍ଥିକ ବର୍ଷରେ ମୋଟ ୨୩,୨୨୯ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଥିବାବେଳେ ୨୦୧୯-୨୦ରେ ୨୩,୮୨୪ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି । ତେବେ ୨୦୧୯-୨୦ରେ ବାର୍ଷିକ ମୁଣ୍ଡପିଛା ୫୦ଟି ଅଣ୍ଡା ଉପଲବ୍ଧ ହେଉଥିବାବେଳେ ୨୦୧୧-୧୨ରେ ଏହା ୫୪ ଥିଲା । ୨୦୧୭-୧୮ରେ ୨୦୫୦୦ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଥିବାବେଳେ ୨୦୧୮-୧୯ରେ ଏହା ୨୩୪୫୨ଲକ୍ଷ ଓ ୨୦୧୯-୨୦ରେ ୨୩୮୧୪ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି ।
ଅନ୍ୟପକ୍ଷରେ ୨୦୦୯-୧୦ରେ ରାଜ୍ୟରେ ମୁଣ୍ଡପିଛା ବାର୍ଷିକ ୩.୦୬କିଲୋ ମାଂସ ଉପଲବ୍ଧ ହେଉଥିବାବେଳେ ୨୦୧୪-୧୫ରେ ଏହା ୩.୬୬କିଲୋ ଏବଂ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ମୁଣ୍ଡପିଛା ବାର୍ଷିକ ୪.୩୧କିଲୋ ମାଂସକୁ ବୃଦ୍ଧି ପାଇଛି । ୨୦୦୭-୧୮ରେ ୧୮୩.୪୨,୦୦୦ ମେଟ୍ରିକ ଟନ୍ ମାଂସ ରାଜ୍ୟରେ ଉତ୍ପାଦନ ହୋଇଥିବାବେଳେ ୨୦୧୮-୧୯ରେ ଏହା ୨୦୩,୦୦,୦୦୦ମେଟ୍ରିକ ଟନ୍ ଏବଂ ୨୦୧୯-୨୦ରେ ଏହା ୨୦୫,୧୮,୦୦୦ ମେଟ୍ରିକ ଟନ୍ ମାଂସ ଉତ୍ପାଦନ ହୋଇଛି ।
ସେହିପରି ରାଜ୍ୟରେ ମିଳୁଥିବା ମୋଟ କ୍ଷୀର ମଧ୍ୟରୁ ଗାଈ କ୍ଷୀର ୯୧% ଓ ମଈଁଷି କ୍ଷୀର ୯ ପ୍ରତିଶତ ରହିଛି । ୨୦୧୨-୧୩ରେ ମୁଣ୍ଡପିଛା କ୍ଷୀର ଦୈନିକ ୧୧୩ଗ୍ରାମ ଥିବାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇଁ ଦୈନିକ ମୁଣ୍ଡପିଛା ୧୩୬ ଗ୍ରାମରେ ପହଂଚିଛି । ୨୦୧୮-୧୯ରେ କ୍ଷୀର ଉତ୍ପାଦନ ୨୩୧୧,୦୦୦ ମେଟ୍ରିକ ଟନ୍ ଓ ୨୦୧୯-୨୦ରେ ୨୩୭୦,୦୦୦ ମେଟ୍ରିକ ଟନ୍ କ୍ଷୀର ଉତ୍ପାଦିତ ହୋଇଛି ।


