Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅମିତ୍ ଶାହଙ୍କ ଟାର୍ଗେଟରେ ଓଡ଼ିଶା: ବିଜେଡିର ଚିନ୍ତା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଗଡ଼କୁ ଧ୍ୱଂସ କରି ସରକାର ଗଢ଼ିବା ପାଇଁ ବିଜେପି ନିଜର କଳବଳକୌଶଳ ଲଗାଇବା ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଆଶଙ୍କିତ କରିଥିବାବେଳେ ବିଜେପିର ‘ରାଜନୀତିକ ଚାଣକ୍ୟ’ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗତକାଲିର ଦୁଇପଦ କଥା ବିଜେଡିର ଚିନ୍ତା ବଢ଼ାଇ ଦେଇଛି । ପଶ୍ଚିମବଙ୍ଗ ପରେ ବିଜେପିର ଫୋକସରେ ଓଡ଼ିଶା ଭଳି ଅଣବିଜେପି ଶାସିତ ରାଜ୍ୟ ରହିଛି ବୋଲି ଶ୍ରୀ ଶାହ କହିବାକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଥିଲେ ମଧ୍ୟ ତାଙ୍କୁ ସିଧାସଳଖ କାଉଣ୍ଟର କରିବାକୁ ବିଜେଡି ସାହାସ ଜୁଟାଇପାରିନି । ଅବଶ୍ୟ ପଶ୍ଚିମବଙ୍ଗରେ ବିଜେପିର ‘ଅପରେସନ’କୁ ଦେଖି ବିଜେଡି ଗତ ୨-୩ମାସ ହେଲା ନିଜର ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଦିଗରେ ଜୋରଦାର ପ୍ରୟାସ କରୁଛି ।
ବିଜେପିର ‘ରାଜନୀତିକ ଚାଣକ୍ୟ’ ଓ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ମାହିର ଅମିତ୍ ଶାହ କୋଲାକତାରେ ଦଳୀୟ ସୋସିଆଲ ମିଡିଆ ସ୍ୱେଚ୍ଛାସେବୀଙ୍କୁ ସମ୍ବୋଧନ କରିବାବେଳେ ପଶ୍ଚିମବଙ୍ଗରେ ଦୁଇ ତୃତୀୟାଂଶ ଆସନ ସହ ତାଙ୍କ ଦଳ ସରକାର ନଗଢ଼ିବା ପର୍ଯ୍ୟନ୍ତ ବିଶ୍ରାମ ନେବନି ଓ ଏହି ବିଜୟ ହିଁ ବିଜେପିକୁ ଓଡ଼ିଶା, ତେଲେଙ୍ଗାନା ଭଳି ଅଣବିଜେପି ଶାସିତ ରାଜ୍ୟରେ ସରକାର ଗଢ଼ିବା ପାଇଁ ବାଟ କଢ଼ାଇ ନେବ ବୋଲି କହିଥିଲେ । ବିଜେପିର ସଫଳ ଚାଣକ୍ୟଙ୍କ ଏହି ଦୁଇ ପଦ କଥା ରାଜ୍ୟ ବିଜେପିକୁ ଉତ୍ସାହିତ କରିଥିବାବେଳେ ବିଜେଡିକୁ ନିଜର ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଦିଗରେ ଅଧିକ ଫୋକସ ଦେବାକୁ ବାଧ୍ୟ କରିଛି । ଅମିତ୍ ଶାହାଙ୍କ ରଣନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ୫୦ପ୍ରତିଶତ ଭୋଟ୍ ଶେୟାର ଫର୍ମୂଲା ଆଧାରରେ ବିଜେପି ଓଡ଼ିଶାରେ ସରକାର ଗଠନ କରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଗଡ଼ରେ ଛିଦ୍ର କରିବାରେ ବିଜେପି ସଫଳ ହୋଇଥିବାବେଳେ ଅନୁରୂପ ଫର୍ମୂଲା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦୋହରାଇବାର ଆଶଙ୍କା ରହିଛି । ୨୦୧୭ ମସିହାରେ ବିଜେପି ଓଡ଼ିଶାରେ ମିଶନ-୧୨୦, ୨୦୨୦ରେ ଓଡ଼ିଶାକୁ ବିଜେପିର ଦୁର୍ଗ କରିବା ପାଇଁ ଆହ୍ୱାନ ଦେଇଥିବା ଅମିତ୍ ଶାହା ଏବେ ପଶ୍ଚିମବଙ୍ଗ ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିବା ଉପରେ ଫୋକସ୍ ଦେଇଛନ୍ତି । ଆଉ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାରେ ଦଳ ପାଇଁ ୫୦ ପ୍ରତିଶତ ଭୋଟ୍ ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟ କରିବାକୁ ଦଳୀୟ କର୍ମୀଙ୍କୁ ଟାସ୍କ ଦେଇଛନ୍ତି । ତେଣୁ ବିଜେପିର ‘ମାଷ୍ଟରଷ୍ଟ୍ରୋକ’ ରଣନୀତିକୁ ଆକନ କରି ବିଜେଡି ଏବେ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳ ଏବେ ଦୁଇତରଫା ଭାବେ କାର୍ଯ୍ୟ କରୁଛି । ଗୋଟିଏପଟେ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାବେଳେ ଅନ୍ୟପଟେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱକୁ ମଧ୍ୟ ଅସନ୍ତୁଷ୍ଟ ନକରିବା ଉପରେ ଫୋକସ ଦେଉଛି । ରାଜ୍ୟ ବିଜେପି ସିଧାସଳଖ ସମାଲୋଚନା କରୁଥିଲେ ବି ଅନୁରୂପ ଭାବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସିଧାସଳଖ କଟାକ୍ଷ କରିବା ବିଜେଡି ନେତାମାନଙ୍କ ପକ୍ଷେ ସମ୍ଭବପର ହେଉନି । ଗତକାଲି ଶ୍ରୀ ଶାହ ଦେଇଥିବା ମନ୍ତବ୍ୟ ଉପରେ ଆଜି ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ରଖିଥିବା ମନ୍ତବ୍ୟ ହିଁ ଦଳର ରଣନୀତିକୁ ପ୍ରମାଣିତ କରାଉଛି । ଶ୍ରୀ ମିଶ୍ର କହିଥିଲେ ଯେ, ପ୍ରତ୍ୟେକ ଦଳ ନିଜର ସାଂଗଠନିକ କାର୍ଯ୍ୟକଳାପକୁ ନେଇ ବୟାନ ଦେଇଥାନ୍ତି । ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ରହିଛି । ଜନଗଣଙ୍କ ସରକାର ଚାଲିଛି ଓ ବିକାଶମୂଳକ କାର୍ଯ୍ୟ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି । ମାତ୍ର ଶ୍ରୀ ଶାହ ଦେଇଥିବା ମନ୍ତବ୍ୟକୁ ବିରୋଧୀ ଦଳ ଭାବେ ଶାଣିତ ଭାଷାରେ ପାଲଟା ଜବାବ ଦେବାକୁ ବିଜେଡି ସାହାସ କରିପାରିନି ।
ଅନ୍ୟପକ୍ଷରେ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ଏବେ ଉଭୟ ଶାସନ କଳ ଓ ଦଳୀୟ କର୍ମୀଙ୍କୁ ଲଗାଇ ଦେଇଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ଯେଉଁ ସବୁ ଜିଲ୍ଲାରେ ଦୁର୍ବଳ ପ୍ରଦର୍ଶନ କରିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସେହିସବୁ ଜିଲ୍ଲାକୁ ଗସ୍ତ କରି ସିଙ୍ଗଲୱିଣ୍ଡୋ ସିଷ୍ଟମରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରୁଛନ୍ତି । ବିଜେଡି ଏହି ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ନିଜର ନେତାମାନଙ୍କୁ ସେହି ସବୁ ଜିଲ୍ଲାର ଗାଁ ଗହଳିକୁ ପଠାଇ ସିଧାସଳଖ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଉଛି । ଜାନୁୟାରୀରେ କଳାହାଣ୍ଡିରେ ଏହି ଫର୍ମୂଲା ସଫଳ ହେବାପରେ ଏବେ ଆସନ୍ତା ୧୬ତାରିଖରେ ସୁନ୍ଦରଗଡ଼ରେ ଅନୁରୂପ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ସେହିପରି ଦୀର୍ଘ ୨ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ରାଜ୍ୟରେ କୌଣସି ଗୋଟିଏ ବି ନିର୍ବାଚନକୁ ହାଲକା ଭାବେ ନେଉନି । କୌଣସି ଗୋଟିଏ ବି ନିର୍ବାଚନରେ ପରାଜୟ କାଳେ ଦଳର ସୁପ୍ରିମୋଙ୍କ ଭାବମୂର୍ତ୍ତିକୁ ଫିକା କରିଦେବ ସେହି ଆଶଙ୍କାରେ ପଂଚାୟତସ୍ତରର ନିର୍ବାଚନକୁ ମଧ୍ୟ ବିଜେଡି ବେଶ୍ ଗୁରୁତ୍ୱର ସହ ଲଢ଼ୁଛି । ଗତକାଲି ଉପନିର୍ବାଚନ ହୋଇଥିବା ଢେଙ୍କାନାଳର ପରଜଙ୍ଗ ଓ ମୟୂରଭଞ୍ଜର ସାରସକଣା ନିର୍ବାଚନମଣ୍ଡଳୀରେ ଦୁଇଟି ଜିଲ୍ଲା ପରିଷଦ ଆସନ ସମେତ ୧୦ଟି ଜିଲ୍ଲାରେ ୧୭ଟି ସରପଂଚ, ୫ଟି ପଂଚାୟତ ସମିତି ସଭ୍ୟ ଓ ୯୨ଟି ୱାର୍ଡମେମ୍ବର ପାଇଁ ଭୋଟ୍ ଗ୍ରହଣରେ ବିଜେଡି ନିଜର ପତିଆରା ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି । ଦୁଇଟିଯାକ ଜିଲ୍ଲା ପରିଷଦ ଆସନକୁ ଜିଣିବାକୁ ବିଜେଡି ନିଜର ମନ୍ତ୍ରୀ ଓ ସାଂସଦଙ୍କ ସମେତ ବିଧାୟକମାନଙ୍କ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲା ।
ତେଣୁ, ଏସବୁ ଭିତରେ ଓଡ଼ିଶାରେ କ୍ଷମତାସୀନ ହେବାକୁ ବିଜେପିର ସମ୍ଭାବ୍ୟ ରଣନୀତି ଓ ତାକୁ କାଉଣ୍ଟର କରି ନିଜର ଶାସନକୁ ସୁରକ୍ଷିତ ରଖିବାରେ ନବୀନ ପଟ୍ଟନାୟକଙ୍କ ବିଜେଡି କେତେଦୂର ସଫଳ ହେଉଛି ତାହା ଆଗାମୀ ପଂଚାୟତ ନିର୍ବାଚନ ପରେ ସ୍ପଷ୍ଟ ହେବ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top