ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାରେ ମାଓବାଦୀ ହିଂସା ନିୟନ୍ତ୍ରଣାଧୀନ ବୋଲି ରାଜ୍ୟ ସରକାର ଦମ୍ଭୋକ୍ତି ବାଢ଼ୁଥିବାବେଳେ ୨୦୧୯ ମସିହା ତୁଳନାରେ ୨୦୨୦ ମସିହାରେ ମାଓବାଦୀ ହିଂସା ବୃଦ୍ଧି ପାଇଛି । ଏପରିକି ମାଓବାଦୀ ମୁକାବିଲା ନିମନ୍ତେ ରାଜ୍ୟର ୧୫ଟି ଜିଲ୍ଲାକୁ କେନ୍ଦ୍ର ସରକାର ସୁରକ୍ଷା ସଂକ୍ରାନ୍ତ ବ୍ୟୟ(ଏସଆରଇ) ଯୋଜନାରେ ସାମିଲ କରିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଜି.କିଶାନରେଡ୍ଡୀ ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଓଡ଼ିଶାରେ ୨୦୧୮ ମସିହାରେ ୭୫ଟି ମାଓବାଦୀ ହିଂସା ହୋଇଥିବାବେଳେ ୨୦୧୯ରେ ୪୫ଟି ଓ ୨୦୨୦ ମସିହାରେ ୫୦ଟି ମାଓବାଦୀ ହିଂସା ହୋଇଛି । ସମଗ୍ର ଦେଶରେ ୨୦୧୯ରେ ୬୭୦ଟି ମାଓବାଦୀ ହିଂସା ହୋଇଥିବାବେଳେ ୨୦୨୦ ମସିହାରେ ଏହା ୬୬୫କୁ ହ୍ରାସ ପାଇଥିଲା । ସେହିପରି ୨୦୧୮ ମସିହାରେ ଓଡ଼ିଶାରେ ୨୯ଜଣ ମାଓବାଦୀ ଆତ୍ମସର୍ମପଣ କରିଥିବାବେଳେ ୨୦୧୯ରେ ୧୧ଜଣ ଓ ୨୦୨୦ରେ ୧୪ଜଣ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି । ଦେଶର ୧୧ଟି ରାଜ୍ୟର ୯୦ଟି ଜିଲ୍ଲା ଏସଆରଇ ଯୋଜନାରେ ସାମିଲ ଥିବାବେଳେ ଏଥିରେ ଓଡ଼ିଶାର ୧୫ଟି ଜିଲ୍ଲା ରହିଛି । ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ଏବେ ମାଓବାଦୀ ଉପଦ୍ରୁତ ଥିବାବେଳେ ଏସବୁ ଜିଲ୍ଲାକୁ ଏସଆରଇ ସ୍କିମରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତବର୍ଷ ବିଧାନସଭାରେ ମାଓବାଦୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଏବେ ମାତ୍ର ୧୦ଟି ଜିଲ୍ଲା ମଧ୍ୟରେ ମାଓବାଦୀଙ୍କୁ ସୀମିତ ରଖାଯାଇଛି ବୋଲି କହିଥିବାବେଳେ କେନ୍ଦ୍ର ସରକାରଙ୍କ ମାଓବାଦୀ ଅଂଚଳ ପାଇଁ ଉଦ୍ଦିଷ୍ଟ ଏସଆରଇ ଯୋଜନାରେ ୧୫ଟି ଜିଲ୍ଲା ନିମନ୍ତେ ସହାୟତା ଆଣୁଛନ୍ତି ।


