ଭୁବନେଶ୍ୱର : ଓଡ଼ିଶା ସିନେମାର ମୂକସାକ୍ଷୀ ତଥା ଗର୍ବ କଳିଙ୍ଗ ଷ୍ଟୁଡ଼ିଓ ଜମିରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ପାଇଁ କ୍ରୀଡ଼ା ବିଭାଗର ପ୍ରସ୍ତାବକୁ ନେଇ ବିବାଦ ଦେଖାଦେଇଛି । କଳିଙ୍ଗ ଷ୍ଟୁଡ଼ିଓର ଅବ୍ୟବହୃତ ଜମିରେ ସ୍ପୋଟର୍ସ କମ୍ପେ୍ଲକ୍ସ ନିର୍ମାଣ କରାଯିବା ପାଇଁ ବିଭାଗ କରିଥିବା ଯୋଜନା ସମ୍ପର୍କରେ କିଛି ଜାଣିନଥିବା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ କହିଥିବାବେଳେ ସିନେମାର ପ୍ରସାର ପାଇଁ ଉଦ୍ଦିଷ୍ଟ କଳିଙ୍ଗ ଷ୍ଟୁଡ଼ିଓର ସୁରକ୍ଷା ବିଷୟ ତାଙ୍କ ବିଭାଗ ସହ ଜଡ଼ିତ ନୁହେଁ ବୋଲି କହି ସଂସ୍କୃତି ମନ୍ତ୍ରୀ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଛନ୍ତି । ଅପରପକ୍ଷରେ କଳିଙ୍ଗ ଷ୍ଟୁଡ଼ିଓର ଜମିକୁ କୌଣସି ପରିସ୍ଥିତିରେ ବି କ୍ରୀଡ଼ା ବିଭାଗ ନେଇପାରିବ ନାହିଁ ବୋଲି ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ଅଧ୍ୟକ୍ଷ ମୁନ୍ନା ଖାଁ କହିଛନ୍ତି ।
କଳିଙ୍ଗ ଷ୍ଟୁଡ଼ିଓର ଅବ୍ୟବହୃତ ଜମିରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ ପାଇଁ କ୍ରୀଡ଼ା ସଚିବ ବିଶାଳ ଦେବ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ । କଳିଙ୍ଗ ଷ୍ଟୁଡ଼ିଓରେ ଆବଶ୍ୟକତାଠୁ ଅଧିକ ଜମି ରହିଛି । ତେଣୁ ସେହି ଖାଲି ଜମି କ୍ରୀଡ଼ା ବିଭାଗକୁ ଦିଆଗଲେ ସେଠାରେ ସ୍ପୋର୍ଟସ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ହେଲେ କ୍ରୀଡ଼ା ବିଭାଗର ଏହି ପ୍ରସ୍ତାବ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ଅଧ୍ୟକ୍ଷ ମୁନ୍ନା ଖାଁ କହିଛନ୍ତି ଯେ, ଫିଲ୍ମର ବିକାଶ ପାଇଁ କଳିଙ୍ଗ ଷ୍ଟୁଡ଼ିଓରେ ଜମିର ଅଭାବ ରହିଛି । ତା’ଛଡ଼ା ଏହି ଜମି ଶିଳ୍ପ ବିଭାଗର । ଉକ୍ତ ଜମିକୁ କ୍ରୀଡ଼ା ବିଭାଗକୁ ଦେବାର ପ୍ରଶ୍ନ ଉଠୁନାହିଁ । ଓଡ଼ିଶାର ସଂସ୍କୃତି ଓ କଳାକୁ ଜାଣିନଥିବା ଲୋକମାନେ ହିଁ ଏଭଳି ବିବାଦ ସୃଷ୍ଟି କରୁଛନ୍ତି । ସେ ଏ ବିଷୟରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କଡ଼ା ଆପତ୍ତି ଜଣାଇବେ ବୋଲି କହିଛନ୍ତି । ସେହିପରି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ତାଙ୍କ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟୁଡ଼ିଓର ଜମିରେ ସ୍ପୋଟର୍ସ କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ କିଛି ଜାଣନ୍ତି ନାହାନ୍ତି ବୋଲି ‘ନିତିିଦିନ’କୁ କହିଛନ୍ତି । ଅପରପକ୍ଷରେ ଓଡ଼ିଆ ସିନେମା ଓ କଳାର ବିକାଶ ଦାୟିତ୍ୱ ବୁଝୁଥିବା ରାଜ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ “ କଳିଙ୍ଗ ଷ୍ଟୁଡ଼ିଓ ତାଙ୍କ ବିଭାଗ ଅଧୀନରେ ଆସୁନାହିଁ । ସେ କାହିଁକି ଉକ୍ତ ବିଷୟରେ ମତ ଦେବେ । ଶିଳ୍ପ ମନ୍ତ୍ରୀଙ୍କୁ କଳିଙ୍ଗ ଷ୍ଟୁଡ଼ିଓ ବିଷୟରେ ପଚାରିଲେ ସେ କହିବେ । ତାଙ୍କ ବିଭାଗ ସିନେମା ଓ କଳା କଥା ବୁଝିଛି ସତ କିନ୍ତୁ କଳିଙ୍ଗ ଷ୍ଟୁଡ଼ିଓର ସୁରକ୍ଷା କଥା ନୁହେଁ । କଳାର ପ୍ରସାର କରିବା ପାଇଁ ଅନେକ ମାଧ୍ୟମ ରହିଛି । ତେବେ ସେ ଉକ୍ତ ଚିଠି ଦେଖିଲା ପରେ ହିଁ କିଛି ପ୍ରତିକ୍ରିୟା ଦେବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।”
ତେବେ ପ୍ରଶ୍ନ ଉଠୁଛି, ରାଜଧାନୀର ଚାରିପାଶ୍ୱର୍ରେ ଶହ ଶହ ଏକର ସରକାରୀ ଜମି ଥିବା ସତ୍ତେ୍ୱ କ୍ରୀଡ଼ା ସଚିବ କାହିଁକି କଳିଙ୍ଗ ଷ୍ଟୁଡ଼ିଓ ଜମିକୁ ଚୟନ କଲେ ଓ ଏହା ପଛରେ କ’ଣ କାରଣ ରହିଛି ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏକଦା ଦେଶରେ ସିନେମା ନିର୍ମାଣର ପ୍ରମୁଖ ସ୍ଥଳୀ ପାଲଟିଥିବା କଳିଙ୍ଗ ଷ୍ଟୁଡ଼ିଓକୁ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇ ରଖିଥିବା ରାଜ୍ୟ ସରକାର ଏହାର ପୁନରୁଦ୍ଧାର ପ୍ରତି ଦୃଷ୍ଟି ନଦେଇ ସେହି ଜମିରେ କ୍ରୀଡ଼ାର ବିକାଶ ପାଇଁ ସ୍ୱପ୍ନ ଦେଖିବା ମଧ୍ୟ କଳା ଓ ସଂସ୍କୃତିସମ୍ପନ୍ନ ଓଡ଼ିଶାବାସୀଙ୍କ ପ୍ରତି ଉପହାସ ସଦୃଶ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ।


