ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ‘କାଳିଆ’ ଯୋଜନାରେ ପୁଣିଥରେ ଚାଷୀମାନଙ୍କ ଆକାଉଣ୍ଟକୁ ଆଜି ୨ହଜାର ଟଙ୍କା ଲେଖାଏଁ ସହାୟତା ଟ୍ରାନ୍ସଫର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୩ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ୫୦ଲକ୍ଷ ୮୫ହଜାର ୨୯୦ଜଣ ଚାଷୀଙ୍କୁ ‘କାଳିଆ’ ସହାୟତା ଦିଆଯାଇଥିଲା । ୨୦୧୯ ମେ’ ୨୩ତାରିଖରେ ଶେଷଥର ପାଇଁ ‘କାଳିଆ’ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର କ୍ଷୁଦ୍ର,ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ କୃଷି ଓ ଆନୁସଙ୍ଗିକ କାର୍ଯ୍ୟରେ ସହାୟତା ନିମନ୍ତେ ‘କାଳିଆ’ ଯୋଜନାକୁ ୨୦୧୯ ମସିହାରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଜାତୀୟସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ୱବ୍ୟାଙ୍କ ତଥ୍ୟ ଅନୁସାରେ ‘କାଳିଆ’ ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟର ଚାଷୀଙ୍କ ଋଣଭାର ଅପେକ୍ଷାକୃତ କମିପାରିଛି । ରାଜ୍ୟର ଚାଷୀ ସମ୍ମାନର ସହ ବଂଚୁ ଓ ତା’ର ଉତ୍ପାଦିତ ଜିନିଷର ଉଚିତ୍୍ ମୂଲ୍ୟ ପାଉ । ଚାଷୀର ରୋଜଗାର ବଢ଼ୁ ଓ ତା’ର ଜୀବନଧାରଣ ମାନରେ ଉନ୍ନତି କିଭଳି ଆସିବ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି । କରୋନା ସମୟରେ ଚାଷୀମାନଙ୍କ ସାହସ ଓ ପରିଶ୍ରମ ଯୋଗୁ କୃଷିକ୍ଷେତ୍ରରେ ଉନ୍ନତି ଆସିପାରିଛି । ଏମଏସପିକୁ ଦୁଇଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବିଭିନ୍ନ ଜିଳ୍ଲାର ଚାଷୀଙ୍କ ସହ କାଳିଆ ସହାୟତା ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଚାଷୀମାନେ ଭଲ ଫସଲ ଅମଳ କରି ଓଡ଼ିଶାକୁ ଆଗକୁ ନେଇପାରିଛନ୍ତି ବୋଲି କହିଥିଲେ ।
ଅନ୍ୟପକ୍ଷରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ‘କାଳିଆ’ ଯୋଜନାରେ ଆଜି ୧୨୭୨.୧୯କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଆଜି କିଛି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ପର୍ଯ୍ୟାୟକ୍ରମେ ସମସ୍ତ ୫୩.୨୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପିଏମକିଷାନ ଯୋଜନାରେ ସାମିଲ ୩୭.୧୯ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଲେଖାଏଁ, ବାକି ପ୍ରାୟ ୧୬ଲକ୍ଷ ଭୂମିହୀନ ଚାଷୀଙ୍କ ମଧ୍ୟରୁ ଯେଉଁମାନେ ପୂର୍ବରୁ କାଳିଆ ସହାୟତା ପାଇଥିଲେ ସେମାନଙ୍କ ଆକାଉଣ୍ଟକୁ ୨୫୦୦ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯାଇଛି । ଆଉ ଯେଉଁ ଭୂମିହୀନ ଚାଷୀ ବିଲକୁଲ୍ ସହାୟତା ପାଇନାହାନ୍ତି ସେମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ ।


