ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କିତ ଏକ ସମୀକ୍ଷା ବୈଠକ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଶ୍ରୀ ପାତ୍ର କ୍ଷତିପୂରଣ ପ୍ରଦାନ, ପୁନର୍ବାସ ଓ ଥଇଥାନ ଏବଂ ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଲୋକମାନଙ୍କ ସୁବିଧା ପାଇଁ ପୁନର୍ବାସ ସ୍ଥାନରେ ବିଦୁ୍ୟତ ସଂଯୋଗ, ପାନୀୟ ଜଳଯୋଗାଣ, ରାସ୍ତାଘାଟ ପରି ଭିତ୍ତିଭୂମିର ବିକାଶ ସହ କ୍ଷତିଗ୍ରସ୍ତ ପରିବାରମାନଙ୍କ ନାମରେ ଘରଡିହ ପଟ୍ଟା ପ୍ରଦାନ ଓ ଜମି ହସ୍ତାନ୍ତରଣ କରିବାକୁ ସଂପୃକ୍ତ ତହସିଲଦାରଙ୍କୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଆର୍ପିଡିଏସି ବୈଠକ ଶୀଘ୍ର ଆହୂତ କରିବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ।
ଏହି ବୈଠକରେ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ପାରିପାଶ୍ୱର୍କ ଉନ୍ନତିକରଣ, ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ, ପ୍ରକଳ୍ପ ଅଞ୍ଚଳରେ ଜମି ଲିଜ୍/ହସ୍ତାନ୍ତରଣ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଯାଇଛି। ଏହି ପ୍ରକଳ୍ପ ଯୋଗୁଁ ୫ଟି ଗ୍ରାମ ସଂପୂର୍ଣ୍ଣ ଜଳମଗ୍ନ ହେଉଥିବାବେଳେ ୧୦ଟି ଗ୍ରାମ ଆଂଶିକଭାବେ ଜଳମଗ୍ନ ହେବ। ସଂପୂର୍ଣ୍ଣ ଭାବେ ଜଳମଗ୍ନ ହେଉଥିବା ୫ଟି ଗ୍ରାମର ଲୋକଙ୍କୁ ଖାଲି କରିବା ପାଇଁ ଏକ କାର୍ଯ୍ୟ ଯୋଜନାର ଆବଶ୍ୟକତା ରହିଛି। ଯଦ୍ଦ୍ୱାରା ପ୍ରକଳ୍ପ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରିବ।
ଏହି ବହୁମୁଖୀ ପ୍ରକଳ୍ପ ଦ୍ୱାରା ଜଳସେଚନ, ପାନୀୟ ଜଳଯୋଗାଣ ଓ ବିଦୁ୍ୟତଶକ୍ତି ଉତ୍ପାଦନ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାର୍ଷିକ ୩୮୮୦ ହେକଫର ଜମି ଜଳସେଚିତ ହୋଇପାରିବ। ଏଥି ସହିତ ୩୬ ମେଗାୱାଟ୍ ବିଦୁ୍ୟତ ଶକ୍ତି ଉତ୍ପାଦନ ସହ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳକୁ ୩୧.୫୪ ନିୟୁତ ଘନ ମିଟର ପାନୀୟ ଜଳ ଯୋଗାଯାଇପାରିବ। ଜି. ସାମନ୍ତରାପୁର ପୁନର୍ବାସ ଓ ଥଇଥାନ କଲୋନୀର ଜମିକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହସ୍ତାନ୍ତର କରାଗଲେ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ପ୍ରଦାନ କରାଯାଇ ପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବିସ୍ଥାପିତ ପରିବାରମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ ଜିଲ୍ଲାରେ ପୁନର୍ବାସ ପାଇଥିବାରୁ କିଛି ବିସ୍ଥାପିତ ପରିବାର ୨୫ ପ୍ରତିଶତ ଅତିରିକ୍ତ ସହାୟତା ଦାବି କରିଥିଲେ। ଯାହାକୁ ଅତିଶୀଘ୍ର ପୂରଣ କରାଯିବ ବୋଲି ଜଳସଂପଦ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା କହିଥିଲେ। ପ୍ରତି ଦୁଇ ମାସରେ ଥରେ ସମୀକ୍ଷା ବୈଠକ ଆୟୋଜନ କରିବାକୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଳସଂପଦ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବିଭାଗର ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ), ଋଷିକୂଲ୍ୟା-ବଂଶଧାରା-ନାଗାବଳୀ ବେସିନ୍ର ମୁଖ୍ୟଯନ୍ତ୍ରୀ, ଜଳସଂପଦ ଓ ରାଜସ୍ୱ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କିତ ତଥ୍ୟ ଓ ରୂପରେଖ ଉପରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଗ୍ରାମଗୁଡ଼ିକରୁ କିଛି ପ୍ରତିନିଧି ଯୋଗଦେଇ ସେମାନଙ୍କର ସମସ୍ୟା ଉତ୍ଥାପନ କରିଥିଲେ।


