ଭୁବନେଶ୍ୱର : ନଦୀ ଜଳ ଉପଯୋଗ ଉପରେ ପଡ଼ୋଶୀ ରାଜ୍ୟଗୁଡ଼ିକର ମନମୁଖୀ କାର୍ଯ୍ୟ ଓ ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେବାରେ ବିଳମ୍ବକୁ ନେଇ ଓଡ଼ିଶା ଆପତ୍ତି ଉଠାଇଛି । ତେବେ ଆସନ୍ତାକାଲି ସୁଦ୍ଧା ମହାନଦୀ ଟ୍ରିବ୍ୟୁନାଲ ଗଠନ ସଂକ୍ରାନ୍ତ ଟର୍ମସ୍ ଅଫ୍ ରେଫରେନ୍ସକୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯିବା ସହ ଓଡ଼ିଶାକୁ ମଧ୍ୟ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଆଜି କୋଲକାତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ରାଜ୍ୟର ଜଳସମ୍ପଦ ସମ୍ପର୍କିତ ପ୍ରଥମ ଆଞ୍ଚଳିକ ସମ୍ମିଳନୀରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ବେଆଇନ ଭାବେ ନିର୍ମାଣ ହେଉଥିବା ଜଳ ପ୍ରକଳ୍ପକୁ ଓଡ଼ିଶା ତୀବ୍ର ବିରୋଧ କରିଛି । ଏହା ସହିତ ଇନ୍ଦ୍ରାବତୀ ନଦୀ ଜଳର ଆବଣ୍ଟନ ଓ କନ୍ଧମାଳର ଖାରଙ୍ଗା ଜଳ ପ୍ରକଳ୍ପକୁ ନେଇ ଛତିଶଗଡ଼ ସରକାର ଉଠାଇଥିବା ଆପତ୍ତିକୁ ଓଡ଼ିଶା ମୁହଁତୋଡ଼ ଜବାବ ଦେଇଥିବା ଜଣାପଡ଼ିଛି ।
କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରେ ଓଡ଼ିଶା ସମେତ ବିହାର,ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାରଙ୍କ ପ୍ରତିନିଧି ଯୋଗ ଦେଇଥିଲେ । ସମ୍ମିଳନୀରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଖାଦ୍ୟଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ପାଣି ଅଟକାଇଥିବା ପ୍ରସଙ୍ଗକୁ ଓଡ଼ିଶା ଉଠାଇଥିଲା । କିନ୍ତୁ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜ୍ମୋହନ ଅଗ୍ରୱାଲ୍ ଉପରମୁଣ୍ଡରେ ମହାନଦୀ ଶୁଷ୍କ ହୋଇଯାଇଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ଉପରମୁଣ୍ଡରେ ପାଣି ନଥିବାରୁ କଲ୍ମା ବ୍ୟାରେଜ୍ ସମେତ ୭ଟି ବ୍ୟାରେଜ୍ ଦେଇ ନିମ୍ନ ଅବବାହିକାକୁ ଜଳ ପ୍ରବାହ ହେଉନି । ଛତିଶଗଡେ଼ର ବି ଲୋକମାନେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସେଠାରେ ବି ମରୁଡ଼ି ପଡ଼ିଛି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରି ଛତିଶଗଡ଼ ସରକାର ଦ୍ୱାରା ମୋହମେଳା ସିରପୁର ବ୍ୟାରେଜ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯିବାକୁ ଓଡ଼ିଶା ବିରୋଧ କରିଥିଲା । ଛତିଶଗଡ଼ ସରକାର ଏହା ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରାୟ ଆସିବା ପୂର୍ବରୁ ଟେଣ୍ଡର କରାଯାଇଥିବା କହିଥିଲେ । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଅନୁଧ୍ୟାନ କରିବେ ଓ ଆବଶ୍ୟକ ନିର୍ଦ୍ଦେଶାନାମା ଜାରି କରାଯିବ ବୋଲି କହିଛନ୍ତି । ସେହିପରି ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଆବଶ୍ୟକ ଟର୍ମସ୍ ଅଫ ରେଫରେନ୍ସ ଦିଆଯାଇନଥିବା ପ୍ରସଙ୍ଗକୁ ଓଡ଼ିଶା ଉଠାଇଥିଲା । ତେବେ ଏହା ଆସନ୍ତାକାଲିସୁଦ୍ଧା ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଦିଆଯିବା ପରେ ଓଡ଼ିଶାକୁ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଘୱାଲ ପ୍ରତିଶ୍ରୁତି ଦେଇଛନ୍ତି । ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ଓଡ଼ିଶା ଜୋର୍ଦାର ଢଙ୍ଗରେ ଉଠାଇଥିଲେ ମଧ୍ୟ ଏବେ ଏହା ନ୍ୟାୟାଳୟର ବିଚରାଧୀନ ଥିବାରୁ ଅଧିକ ଆଲୋଚନା କରିବା ଅନୁଚିତ୍ ବୋଲି ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର କହି ଚୁପ୍ ରହିଥିଲେ । ତେବେ ଛତିଶଗଡ଼ ସରକାର ଓଡ଼ିଶା ଦ୍ୱାରା ଇନ୍ଦ୍ରାବତୀ ଜଳର ଆବଣ୍ଟନ ହ୍ରାସ ଓ କନ୍ଧମାଳରେ ଖାଡ଼ଙ୍ଗା ଜଳସେଚନ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଥିଲେ । ଏହି ପ୍ରସଙ୍ଗରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କଡ଼ା ଆଭିମୁଖ୍ୟ ପୋଷଣ କରି ନିଜ ମାଟିରେ ଓଡ଼ିଶା ପାଇଁ ଆବଣ୍ଟିତ ଜଳକୁ ରାଜ୍ୟ କିଭଳି ଉପଯୋଗ କରିବ ତାହା ଛତିଶଗଡ଼ଠାରୁ ଶିଖିବା ଆବଶ୍ୟକତା ନାହିଁ ଓ ଛତିଶଗଡ଼ ଏଥିରେ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ ବୋଲି ମତ ଦେଇଥିଲେ । ଇନ୍ଦ୍ରବତୀ ନଦୀରୁ ଛତିଶଗଡ଼କୁ ଜଳ ହ୍ରାସ ଓଡ଼ିଶା ଯୋଗୁ ନୁହେଁ ବରଂ ଅନ୍ୟ କାରଣରୁ ହେଉଛି । ଯାହାକୁ କେନ୍ଦ୍ର ଜଳ ଆୟୋଗର ସଦସ୍ୟମାନେ ମଧ୍ୟ ସମ୍ମତିି ଜଣାଇଥିଲେ । ସେହିପରି ଝାଡ଼ଖଣ୍ଡ ସରକାରଙ୍କ ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଶଙ୍ଖ-ସାଉଥ୍ କୋଏଲ ଓ ସାଉ୍୍ଥକୋଏଲ-ସୁବର୍ଣ୍ଣରେଖା ପ୍ରକଳ୍ପକୁ ଓଡ଼ିଶା ପକ୍ଷରୁ ବିରୋଧ କରାଯାଇଥିଲା । ବ୍ରାହ୍ମଣୀ ଓଡ଼ିଶାକୁ ଆସିବା ପୂର୍ବରୁ ଉପରମୁଣ୍ଡରେ ସେହି ନଦୀରେ ଝାଡ଼ଖଣ୍ଡ ସରକାର ୧୩ଟି ପ୍ରକଳ୍ପ କରୁଥିବା ଓଡ଼ିଶା ଏହାକୁ ବିରୋଧ କରିଥିଲା । ୨୦୧୧ ମସିହାରେ ଏହି ସମାନ ପ୍ରକଳ୍ପକୁ ନେଇ ଓଡ଼ିଶା ଆପତ୍ତି ଉଠାଇଥିଲେ ମଧ୍ୟ କେନ୍ଦ୍ର ସରକାର କିଭଳି ଏହାକୁ ଗ୍ରହଣ କରିଛନ୍ତି ବୋଲି ଓଡ଼ିଶା ପ୍ରଶ୍ନ କରିଥିଲା । ତେବେ କେନ୍ଦ୍ର ସରକାର ଏ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେହିପରି ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉଠାଣକୁ ନେଇ ଓଡ଼ିଶାର ଆପତ୍ତି ପରେ ପଶ୍ଚିମବଙ୍ଗ ସରକାର ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମ୍ମତି ଜଣାଇଛନ୍ତି । ଓଡ଼ିଶା ପକ୍ଷରୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟ ଯନ୍ତ୍ରୀ ଗୋପାଳ ପ୍ରସାଦ ରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ସମସ୍ତ ୫ଟି ରାଜ୍ୟର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।


