ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ୍ର ଦ୍ୱିତୀୟ
ସଂସ୍କରଣ ଆୟୋଜିତ ହେବ । ତେବେ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗୀ ହେବାକୁ ଅନିଚ୍ଛା ପ୍ରକାଶ କରି ସିଆଇଆଇ ଓହରି ଯାଇଛି ।
ଗତ ୨୦୧୬ ‘ମେକ୍ ଇନ୍ ଓଡ଼ିଶା’ର ଉଦ୍ଯାପନ ପର୍ବରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଳ୍ପୋନ୍ନତିର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରତି
ଦୁଇବର୍ଷରେ ଏପରି ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ ।
‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ୍ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ
ବିଭାଗର ପ୍ରତିନିଧିମାନଙ୍କୁ ସାମିଲ କରି ଏକ କମିଟି ଗଠନ କରାଯାଇଛି ଓ ପ୍ରସ୍ତୁତି କାର୍ଯ୍ୟ
ଅବ୍ୟାହତ ରହିଛି । କନ୍କ୍ଲେଭ୍ରେ ଅଂଶଗ୍ରହଣ କରିବା ନିମନ୍ତେ ବିଭିନ୍ନ ଶିଳ୍ପ ସଂସ୍ଥା ତଥା
ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଆମନ୍ତ୍ରଣ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ‘ମେକ୍ ଇନ୍ ଓଡ଼ିଶା-୨୦୧୬’ ଆୟୋଜନରେ ଭାରତୀୟ
ଶିଳ୍ପ ମହାସଂଘ ସହଯୋଗୀ ଭାବରେ ଯୋଗଦେଇଥିଲା । ନିକଟରେ ବିଭିନ୍ନ କାରଣରୁ ମହାସଂଘ
କନ୍କ୍ଲେଭ୍ର ଦ୍ୱିତୀୟ ସଂସ୍କରଣରେ ସହଯୋଗୀ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛି । କିନ୍ତୁ
ପ୍ରସ୍ତାବିତ କନ୍କ୍ଲେଭ୍ ନିର୍ଦ୍ଦିଷ୍ଟ ତାରିଖରେ ଆୟୋଜନ କରାଯିବ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସ୍ପଷ୍ଟ
କରିଦିଆଯାଇଛି । ସିଆଇଆଇ ପୂର୍ବାଞ୍ଚଳ ଜୋନ୍ ଅଧ୍ୟକ୍ଷ ଭାବେ ଓରଟେଲ୍ ପରିଚାଳନା ନିର୍ଦ୍ଦେଶକ ଜାଗିମଙ୍ଗତ ପଣ୍ଡା ଦାୟିତ୍ୱ ନେବା ପରେ ସିଆଇଆଇ ଏହି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ଓହରିଯାଇଛି । ଯାହାକୁ ରାଜ୍ୟର ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏପରିକି ସିଆଇଆଇ ଓଡ଼ିଶା ଶାଖାରୁ ମଧ୍ୟ ବହୁ ଶିଳ୍ପୋଦ୍ୟୋଗୀଙ୍କ ଇସ୍ତଫା ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟରେ ଶିଳ୍ପାୟନର ପୋଷଣୀୟ ଅଭିବୃଦ୍ଧି ସମେତ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ
ଦେଇ ମେକ୍ ଇନ୍ ଓଡ଼ିଶା-୨୦୧୮ ଆୟୋଜନ କରାଯାଉଛି । ୨୦୧୬ରେ ଅନୁଷ୍ଠିତ ମେକ୍ ଇନ୍
ଓଡ଼ିଶାର ଫଳଶ୍ରୁତି ସ୍ୱରୂପ ୧୨୪ଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ୩.୬୪ ଲକ୍ଷ କୋଟି ଟଙ୍କାର
ନିବେଶ ପ୍ରସ୍ତାବ ମିଳିଥିଲା ଏବଂ ଆଜି ସୁଦ୍ଧା ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରସ୍ତାବର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା
ଚୂଡ଼ାନ୍ତ ଅବସ୍ଥାରେ ପହଞ୍ଚିଛି ।


