ଭୁବନେଶ୍ୱର(ଓଡ଼ିଶା ୱେୟାର): ପାରାଦୀପସ୍ଥିତ ଆଇଓସିଏଲ ବିଶୋଧାନାଗାର ସମ୍ପ୍ରସାରଣ ଓ ନାପତା କ୍ରାକର ୟୁନିଟ୍ ପ୍ରକଳ୍ପ ଖୁବଶୀଘ୍ର ଭାରତ ସରକାରଙ୍କ ଦ୍ୱାରା ନୀତିଗତ ଅନୁମୋଦନ ପ୍ରାପ୍ତ କରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଦୁଇ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠୁ ଅଢ଼େଇ ହଜାର ଏକର ଜାଗାର ଆବଶ୍ୟକତା ରହିଛି ।
ଆଜି ଆଇଓସିଏଲ୍ ଓ ଇଡକୋ ମଧ୍ୟରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ପାଇଁ ଆଜି ଏମଓୟୁ ସ୍ୱାକ୍ଷର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାରାଦୀପ ଓ ଭଦ୍ରକ ଅଂଚଳରେ ୨୬ହଜାର କୋଟି ଟଙ୍କାର ପ୍ରକଳ୍ପ ଯଥା- ପଲିପ୍ରପିଲିନ୍ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ କାମ ପାଇଁ ୨୨ହଜାର କୋଟି ଟଙ୍କାର ପ୍ରକଳ୍ପ ଆଗାମୀ ୨ବର୍ଷ ଭିତରେ ସମାପ୍ତ ହେବ । ଓଡ଼ିଶା ସରକାର ନାପତା କ୍ରାକର ପାଇଁ ଦାବି କରୁଥିଲେ । ୨୫ହଜାର କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇର ସିପିସିଏଲ, ହଳଦିଆ ଓ ପାରାଦୀପ ରିଫାଇନାରୀକୁ ନାଫତାକୁ ଉପଯୋଗ କରିବା ନେଇ ଆଇସିଓ ନୀତିଗତ ଭାବେ ସହମତି ହୋଇଛି । ସେହିପରି ଓଡ଼ିଶାରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପାଇଁ ଚଣ୍ଡିଖୋଲ ଅଂଚଳରେ ପାଖାପାଖି ୧୧ହଜାର କୋଟି ଟଙ୍କା ଖର୍ଚ୍ଚ କରି ୪ ମିଲିୟନ ଟନର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ବନାଇବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ହେଉଛି ବିଶ୍ୱ ବାଣିଜ୍ୟ ତଥା ତୈଳ ଅର୍ଥନୀତି, ତେଣୁ ଏଥିରେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୪ବର୍ଷ ହେଲା ପାରାଦୀପ ରିଫାଇନାରୀ ୧୫ମିଲିୟନ ଟନର ଅତ୍ୟାଧୁନିକ ରିଫାଇନାରୀ ଭାବେ କାର୍ଯ୍ୟକ୍ଷମ । ଏହି ୧୫ ମିଲିୟନ ଟନକୁ ୨୫ ମିଲିୟନ ଟନ କରିବାକୁ ଇଣ୍ଡିଆନ ଅଏଲ ଲକ୍ଷ୍ୟ ରଖିଛି । ଏଥିପାଇଁ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ ହେବ । ଏହାବ୍ୟତୀତ ଓଡ଼ିଶାର ଲୋକମାନେ ଗୁୁଜରାଟର ସୁରଟ, ତିରୁପୁର କାମ କରିବାକୁ ଯାଉଛି । ସେହି ଯୁବକଯୁବତୀମାନଙ୍କୁ ବୟନଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ପ୍ଲାଷ୍ଟିକ ଶିଳ୍ପ ଓ ବୟନଶିଳ୍ପ ପାଇଁ ଇସ୍ପାତ ଶିଳ୍ପର ମିଡିଲ ହୁକ୍ ପାଇଁ ଏବେ ଇଣ୍ଡିଆନ ଅଏଲ ୨୬ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି । ପାରାଦୀପ ସମେତ ଖୋର୍ଦ୍ଧା, ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲ୍ଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପ ସମୂହ ଗଢ଼ି ଉଠିଥିବାବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନ ନିମନ୍ତେ ଇନସେଟିଭ ଦେବା ପାଇଁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି । ଯାହାଦ୍ୱାରା ପ୍ଲାଷ୍ଟିକ ପାର୍କ ପାଇଁ ଶସ୍ତାରେ କଂଚାମାଲ ମିଳିଲେ ବିଶେଷଭାବେ ଓଡ଼ିଆ ଯୁବକମାନେ ଉଦ୍ୟୋଗୀ ହେବାକୁ ଚେଷ୍ଟ କରିବେ । ତେଣୁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ ଟନ୍ ପିଛା ୨ହଜାର ଟଙ୍କାରେ କଂଚାମାଲ କିଣି ଓଡ଼ିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ । ଏହା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


